Categories: ଖେଳ

ଯଶସ୍ବୀ ଜୈଶଓ୍ବାଲଙ୍କୁ ଉପହାରରେ ମିଳିଲା କାର୍‌, ଗ୍ରହଣ କରିବା ପରିବର୍ତ୍ତେ କହିଲେ ଏମିତି, କୋଚ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ୩ ଉଇକେଟରେ ହରାଇ ପ୍ରଥମଥର ଟାଇଟଲ ଜିତିଛି। ଯଦିଓ ଏହି ମ୍ୟାଚରେ ଭାରତ ପରାଜିତ ହୋଇଛି କିନ୍ତୁ ଷ୍ଟାର୍‌ ଓପନର ଯଶସ୍ବୀ ଜୈଶଓ୍ବାଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ କରି ମ୍ୟାନ ଅଫ୍‌ ଦ ସିରିଜ୍‌ ବିବେଚିତ ହୋଇଥିଲେ। ବିଶ୍ୱକପ୍‌ ପରାଜୟ ପରେ ଭାରତୀୟ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଫେରିବା ପରେ ଜଶସ୍ବୀଙ୍କ କୋଚ ଜ୍ୱାଲା ସିଂ ଉପହାରରେ ଏକ କାର୍‌ ଦେବା ପାଇଁ କହିଥିଲେ। କିନ୍ତୁ ଜୈଶଓ୍ବାଲ ବିନମ୍ରତାର ସହ ଏହାକୁ ନେବା ପାଇଁ ମନା କରିଦେଇଥିଲେ। ସେ କୋଚଙ୍କୁ କହିଥିଲେ ଆପଣ  ନୂଆ କାର୍‌ ନେଇ ପୁରୁଣା କାର୍‌ଟିକୁ ମୋତେ ଦିଅନ୍ତୁ। ଯଶସ୍ବୀଙ୍କଠାରୁ ଏତିକି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୋଚ।
ଯଶସ୍ବୀ ଅଣ୍ଡର୍‌-୧୯ ବିଶ୍ୱକପରେ ପାଞ୍ଚଥର ୫୦ରୁ ଅଧିକ ରନ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଯଶସ୍ବୀଙ୍କ ପୂର୍ବରୁ ବ୍ରିଟ ୱିଲିୟମ୍ସ ଓ ସର୍ଫରାଜ ଖାନ ଏହି କାରନାମା ଦେଖାଇଥିଲେ। ଅଷ୍ଟ୍ରେଲୀୟ କ୍ରିକେଟର୍‌ ବ୍ରିଟ ୱିଲିୟମ୍ସ ୧୯୮୮ରେ ଏହି କାରନାମା କରିଥିଲେ। ସେହିପରି ଭାରତର ସର୍ଫରାଜ ୨୦୧୬ ବିଶ୍ୱକପରେ ଏହି ରେକର୍ଡ ନିଜ ନାଁରେ କରିଥିଲେ। ଚଳିତ ବିଶ୍ୱକପରେ ଯଶସ୍ବୀ ଯଥାକ୍ରମେ ୫୯, ୨୯ରେ ଅପରାଜିତ, ୫୭ରେ ଅପରାଜିତ, ୬୨, ୧୦୫ରେ ଅପରାଜିତ, ୮୮ ରନ କରିଛନ୍ତି। ସେ ମୋଟ ୬ ଇନିଂସରେ ୪ଥର ୫୦ରୁ ଅଧିକ ସ୍କୋର କରିଛନ୍ତି ଏବଂ ଗୋଟିଏ ଶତକ ମଧ୍ୟ ମାରିଛନ୍ତି। ଯଶସ୍ବୀ ଚଳିତ ସଂସ୍କରଣରେ ୪୦୦ ରନ କରି ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ସ୍କୋରର ହୋଇଛନ୍ତି। ଯଶସ୍ବୀଙ୍କୁ ଭାରତୀୟ କ୍ରିକେଟ ଦଳର ଆଗାମୀ ଷ୍ଟାର୍‌ ବୋଲି କୁହାଯାଉଛି।

Share