Categories: ରାଜ୍ୟ

ଯାଆଁଳ ଉତ୍ପାଦନ କେନ୍ଦ୍ର ନାହିଁ: ପଡ଼ୋଶୀ ରାଜ୍ୟ ଉପରେ ଚାଷୀ ନିର୍ଭର

ମହାକାଳପଡ଼ା, ୬ା୬ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ମାଛ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ମହାକାଳପଡ଼ା ଅଞ୍ଚଳରେ ମତ୍ସ୍ୟଚାଷୀଙ୍କୁ ପୋଖରୀ ଖୋଳାଠାରୁ ଆରମ୍ଭ କରି ଉତ୍ପାଦନ ବୃଦ୍ଧି ଆଦି ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ହେଲେ ଖରା ଦିନରେ ପ୍ରାୟତଃ ନଦୀରେ ପାଣି ଶୁଖିଯିବା ଯୋଗୁ ଯାଆଁଳ ମିଳୁ ନଥିବା ଯୋଗୁ ଇଞ୍ଜେକସନ ଦିଆଯାଇ କୃତ୍ରିମ ଉପାୟରେ ଉତ୍ପାଦିତ ଯାଆଁଳ ଉପରେ ଚାଷୀମାନେ ନିର୍ଭର କରୁଛନ୍ତି। ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଦି ସ୍ଥାନରେ କୃତ୍ରିମ ଉପାୟରେ ମାଛ ଯାଆଁଳ ଉତ୍ପାଦନ କରାଯାଇ ଓଡ଼ିଶାକୁ ଆସୁଛି। ଏଠାକାର ଚାଷୀ ଚଢ଼ା ଦରରେ ସେହି ଯାଆଁଳ କିଣି ଚାଷ କରୁଛନ୍ତି। ପଶ୍ଚିମବଙ୍ଗର କାନ୍ଥି, ହୁଗୁଳି, ନଇହାଟ ଓ ବଡ ତାଲା ବଜାର ଓ ବାଂଲାଦେଶର ବିଭିନ୍ନ ସ୍ଥାନରୁ ଏହି ଯାଆଁଳ ଆସି ମହାକାଳପଡ଼ା ସମେତ ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଦେଖାଯାଉଛି। ଉକ୍ତ ଅଞ୍ଚଳରେ କୃତ୍ରିମ ପ୍ରଣାଳୀରେ ଯାଆଁଳ ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଚାଷୀମାନଙ୍କୁ ବହାର ଯାଆଁଳ ଉପରେ ନିର୍ଭର କରିବାକୁ ପଡୁଛି। ଏହା କିଲୋଗ୍ରାମ ପ୍ରତି ୨ହଜାରରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଉଥିବା ପଶ୍ଚିମବଙ୍ଗର ଜନୈକ ବ୍ୟବସାୟୀ ସୂଚନା ଦେଇଛନ୍ତି। ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ବଉଳକଣୀ, ଜମ୍ବୁ, ସୁନୀତି, ଗଗୁଆ, ପେଟ୍‌ଛେଲା, ବାରଡ଼ାଙ୍ଗ ଆଦି ପଞ୍ଚାୟତରେ ଚାଷୀମାନେ ଏହି ଯାଆଁଳ କିଣି ଚାଷ କରୁଥିବା ଦେଖିବାକୁ ମିଳୁଛି। ବ୍ଲକ ଅଞ୍ଚଳରେ କୃତ୍ରିମ ପଦ୍ଧତିରେ ଯାଆଁଳ ଉତ୍ପାଦନ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ଚାଷୀମାନେ କହିଛନ୍ତି। ଏଥିସହ ଖରାଦିନେ ମତ୍ସ୍ୟଚାଷୀଙ୍କୁ ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯାଆଁଳ ଯୋଗାଇଦେବାକୁ ବାବାଜୀ ବେହେରା, ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁନ୍ଦର ମୋହନ ସିଂ, ସଦାଶିବ ରାଉତଙ୍କ ସମେତ ବହୁ ଚାଷୀ ଦାବି କରିଛନ୍ତ।

Share