ଯାଜପୁର ଅଫିସ,୧୫।୪: ଯାଜପୁର ଜିଲାର ପାଠ୍ୟ ପୁସ୍ତକ ଦୋକାନ, ଗ୍ୟାରେଜ, ବିଦ୍ୟୁତ୍ ଉପକରଣ ଆଦି ଦୋକାନ ଦୈନିକ ପରିବର୍ତ୍ତେ କେବଳ ରବିବାର ଦିନ ଖୋଲା ରହିବ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ ବୋଲି ଜିଲାପାଲ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଆସନ୍ତା ଗୁରୁବାରଠାରୁ ଏହି ନିୟମ ଲାଗି ହେବ। ସେ କହିଛନ୍ତି ଯେ, ଏହା ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇ ନ ଥିବାରୁ ଦୈନିକ ଖୋଲିବାର ଆବଶ୍ୟକତା ନାହିଁ। ଉକ୍ତ ଯୋକାନଗୁଡିକ ସବୁଦିନ ଖୋଲା ରହିବାରୁ ଏହି ବାହାନାରେ ଅନେକ ଲୋକ ଅଯଥାରେ ବାହାରେ ବୁଲି ଗହଳି କରୁଛନ୍ତି। ତେବେ ଦୋକାନୀମାନେ ନିଜେ ଓ ଗ୍ରାହକଙ୍କ ସାମାଜିକ ଦୂରତା ଓ ମାସ୍କ ପରିଧାନ ପ୍ରତି ଉତ୍ତରଦାୟୀ ହେବେ। ଏହାର ବ୍ୟତିକ୍ରମ ଦେଖାଦେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଦେଇଛନ୍ତି।