ଯାଜପୁର ଅଫିସ୍,୧୩।୫: କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍ ବୁଧବାର ଯାଜପୁର ଜିଲା ଗସ୍ତ କରି ଜିଲାରେ କରୋନା ପଜିଟିଭ୍ ସଂଖ୍ୟା ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ ସ୍ବାବ ସଂଗ୍ରହ, ରିପୋର୍ଟ, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି) ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଟିମ୍ ସଦସ୍ୟ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଟିମ୍ ମୁଖ୍ୟ ଡା. ମହେଶ ୱାଘାମାରେ ବିଷଦ ଭାବେ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ସୁଧାଂଶୁ ଶେଖର ବଳ ଚିକିତ୍ସା ବ୍ୟବସ୍ଥା, ବିଶୋଧନ ପ୍ରକ୍ରିୟା, ସ୍ବାବ୍ ସଂଗ୍ରହ ସମୟରେ ସତର୍କତା, କଣ୍ଟେନ୍ମେଣ୍ଟ ଜୋନ୍ରେ ସ୍ବାସ୍ଥ୍ୟସେବା ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଟିମ୍ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ସମ୍ପର୍କିତ କୌଶଳ ଅବଗତ କରାଇବେ। ଏହି ରିପୋର୍ଟକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବା ସହ ବିବିଧ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବେ ବୋଲି ଟିମ୍ ଲିଡର ୱାଘମାରେ ସୂଚନା ଦେଇଥିଲେ। ଏହି ଟିମ୍ରେ କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଡା. ତୁଷାର ନାଲେ, ଆରଏମ୍ଆର୍ସିର ପ୍ରତିନିଧି ଡା. ସୋମଲକର ପ୍ରମୁଖ ସାମିଲ ଅଛନ୍ତି।