ଯାଜପୁର ଜିଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସାନତ୍ରିଲୋଚନପୁର ଓ ସଇପୁର

ଯାଜପୁର ଅଫିସ,୧୪।୪: ରାଜ୍ୟରେ ଚିହ୍ନଟ ହୋଇଥିବା ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲା ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର। ଏ ନେଇ ମଙ୍ଗଳବାର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ସାନତ୍ରିଲୋଚନପୁର ଓ ନିକଟସ୍ଥ ସଇପୁର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୮ରେ ଏକ ମାଛ ଗାଡ଼ିରେ କଲିକତା ବାବୁଘାଟରୁ ବାହାରି ୨୯ ତାରିଖ ସକାଳେ ଯାଜପୁର ଜିଲା ପାଣିକୋଇଲିରେ ପହଞ୍ଚିଥିଲେ। ତାଙ୍କ ସହିତ ମାଛ ଗାଡିରେ ୧୮ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଯାଜପୁର ଜିଲାର କୋରେଇ ଓ ପାଣିକୋଇଲି ଅଞ୍ଚଳର ୩ ଜଣ ଏବଂ ମୁକୁନ୍ଦପୁର ଅଞ୍ଚଳର ୫ ଜଣ ଆସିଥିଲେ। ସେମାନଙ୍କ ପରିଚୟ ଜାଣିବାକୁ ପ୍ରକ୍ରିୟା ଚାଲିଛି ବୋଲି ଜିଲାପାଳ ଦାସ ସୂଚନା ଦେଇଛନ୍ତି। ଏହା ଜିଲାରେ ଦ୍ବିତୀୟ ଆକ୍ରାନ୍ତ ବ୍ୟକ୍ତି। ପୂର୍ବରୁ ଯାଜପୁର ଜିଲାର ବ୍ରହ୍ମବରଦା ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଘରକୁ ଫରିଛନ୍ତି।

Share