ଯାଜପୁର ଜିଲାର ସୀମା ନାକାବନ୍ଦୀ

ଯାଜପୁର ଅଫିସ,୨।୪: ପଡୋଶୀ ଜିଲା ଭଦ୍ରକରେ ଓଡ଼ିଶାର ୪ର୍ଥ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁର ଜିଲାର ସମସ୍ତ ସୀମାକୁ ନାକାବନ୍ଦୀ କରି ଦିଆଯାଇଛି। ଜିଲା ପୋଲିସ ସେଠାରେ ୨୪ ଘଣ୍ଟା ପହରା ଦେଉଛି। ଜିଲା ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରବେଶରେ କଟକଣା କରାଯାଇଛି। ଏହାବାଦ ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନରେ ଅନୁଷ୍ଠିତ ମୁସଲମାନଙ୍କ ଧର୍ମ ସଭାରୁ ଫେରିଥିବା ବିଞ୍ଝାରପୁର ବ୍ଲକ ଶାସନ୍ଦା ଗ୍ରାମର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଜେରା କରାଯାଇଛି। ସେ ଗତ ୧୭ ତାରିଖରେ ଦିଲ୍ଲୀରୁ ବାହାରି ୧୯ ତାରିଖରେ ଘରେ ପହଞ୍ଚିଥିଲେ। ନିଜାମୁଦ୍ଦିନ ଫେରନ୍ତା ଜଣକ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିଥିବା ଜଣାଯାଇଛି। ଧର୍ମ ସଭାରୁ ଫେରିଲା ପରେ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ପରେ ଔଷଧ ଖାଇ ଭଲ ହୋଇଥିଲେ ବୋଲି ପରିବାର ଲୋକେ କହିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି। ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ, ଆଇଆଇସି ଶିବଚରଣ ବେହେରା ପ୍ରମୁଖ ରାତି ସାଢେ ୧୨ଟାରେ ଶାସନ୍ଦା ଗ୍ରାମରେ ପହଞ୍ଚି ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଜଣାଯାଇଛି। ତେବେ ସେହି ପରିବାରର ସମସ୍ତ ସଦସ୍ୟଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଡା. ଅରୁଣ କୁମାର ପାତ୍ରଙ୍କୁ ଅଚାନକ ବଦଳି କରାଯାଇଛି। କରୋନା ମୁକାବିଲାରେ ଆବଶ୍ୟକ ସହଯୋଗ ହୋଇ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ତାଙ୍କ ସ୍ଥାନରେ ଡା. ସୁଧାଂଶୁ ଶେଖର ବଳ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।

Share