ଯାଜପୁର, ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ ଶଟଡାଉନ୍ : ସମସ୍ତ ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ

ଯାଜପୁର ଅଫିସ/ଯାଜପୁର ଟାଉନ,୪ା୪(ଡି.ଏନ୍.ଏ.)- ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ଆଶଙ୍କା କରୁଛି। ଏଥତ୍ପାଇଁ ଜିଲାର ବ୍ୟାପକ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରାଯାଇଛି। ପ୍ରଥମେ ବ୍ରହ୍ମବରାଦକୁ ଶଟଡାଉନ କରାଯାଇଥିଲା। ପରେ ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳ, ପାଣିକୋଇଲି, ଚଣ୍ଡିଖୋଲ, ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ କୋରେଇ ବ୍ଲକର ସାଦକପୁର, ବଡ଼ଚଣା ବ୍ଲକର ଚାରିନଙ୍ଗଳ, ଧର୍ମଶାଳା ବ୍ଲକର ନେଉଳପୁର ଅଞ୍ଚଳକୁ ଶଟଡାଉନ୍ କରାଯାଇଛି। ଏହି ଶଟଡାଉନ ଶନିବାର ରାତି ୮ଟାରୁ ସୋମବାର ରାତି ୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଆକ୍ରାନ୍ତ ଜଣେ ମୌଲବୀ। ତାଙ୍କ ଘର ଓ କାର୍ଯ୍ୟକ୍ଷେତ୍ର ସମେତ ବ୍ରହ୍ମବରଦା ଗ୍ରାମର ୩ କିମି ପରିଧି ଅଞ୍ଚଳକୁ ସିଲ କରାଯାଇଥିବା ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ସଂକ୍ରମିତ ଜଣକ ୧୨/୧୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି। ସେ ତଥ୍ୟ ଦେବାକୁ ବୋଧହୁଏ ଚାହୁନାହାନ୍ତି। ଯେହେତୁ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ତାଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଶଟଡାଉନ୍ ସମୟ ମଧ୍ୟରେ କେବଳ ଔଷଧ ଦୋକାନ ଏବଂ ଜରୁରୀ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଖୋଲା ରହିବ। ପନିପରିବା ଓ ଅନ୍ୟାନ୍ୟ ଦୋକାନ ବନ୍ଦ ରହିବ। ପରିବହନ ଉପରେ କଟକଣା ଲଗାଯିବ। ଏହି ସମୟ ମଧ୍ୟରେ ସେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ହେବା ପରେ ଏହି ଶଟଡାଉନ ନିଷ୍ପତ୍ତି ନିଆଯାଇଛି। ଏହି ସମୀକ୍ଷା ବୈଠକରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share