ଯାଞ୍ଚବେଳେ ଧରାପଡ଼ିଲା ବାଇକ୍‌ ଚୋରି ର଼୍ୟାକେଟ: ୫ ଚୋରା ବାଇକ ଜବତ, ଦୁଇ ଗିରଫ

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ନୟାପଲ୍ଲୀ ଥାନା ପୋଲିସ ଗାଡ଼ି ଚେକିଂ କରୁଥିବାବେଳେ ବାଇକ ଚୋରି ରାକେଟକୁ ଧରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଚୋରା ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆ ସାହି ଶ୍ରୀରାମ ନଗରରେ ରହୁଥିବା ଜିତେନ୍ଦ୍ର ପ୍ରଧାନ ଓ ଏମ.ଦେବା ରେଡ୍ଡୀ।
ପୋଲିସ ସୂଚନା ମୁତାବକ, ମଙ୍ଗଳବାର ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଷ୍ଟିଓ୍ବାର୍ଟ ଛକରେ ପୋଲିସ ବାଇକ କାଗଜପତ୍ର ଚେକିଂ କରୁଥିଲା। ଜିତେନ୍ଦ୍ର ଓ ଏମ୍‌. ଦେବା ଓଡି ୦୫ଓ୍ବାଇ ୬୦୯୩ ନମ୍ବର ବିଶିଷ୍ଟ ବାଇକରେ ଆସୁଥିବାବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ମାତ୍ର ସେମାନେ ଗାଡିର କାଗଜପତ୍ର ଦେଖାଇ ପାରି ନ ଥିଲେ। ପୋଲିସର ସନ୍ଦେହ ହେବାରୁ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଉଭୟ ଚୋରା ବାଇକ ରାକେଟରେ କାମ କରୁଥିବା ଜଣାପଡିଥିଲା। ପୋଲିସ ସେମାନଙ୍କ ବୟାନ ଆଧାରରେ ସାଲିଆ ସାହିସ୍ଥିତ ଘରେ ଚଢାଉ କରିଥିଲା। ଅଭିଯୁକ୍ତ ଦେବା ଓ ଜିତେନ୍ଦ୍ରଙ୍କ ଘର ପଛପଟେ ପାଲ ଘୋଡାଯାଇ ରହିଥିବା ଆଉ ୪ ବାଇକ ରହିଥିବା ଦେଖିବାକୁ ମିଳିଥିଲା। ଯାଞ୍ଚ ପରେ ସେଗୁଡିକ ଚୋରା ବାଇକ୍‌ ବୋଲି ଜଣାପଡିବାପରେ ଜବତ କରାଯାଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ଅଧିକ ପଚରାଉଚରା କରି ପୋଲିସ ଚୋରା ବାଇକ୍‌ ର଼୍ୟାକେଟ ସମ୍ପର୍କରେ ବହୁ ତଥ୍ୟ ହାସଲ କରିଛି। ସେମାନେ କଟକ ଜିଲା ଆଠଗଡ ଅଞ୍ଚଳରେ ଥିବା ଏକ ବାଇକ ଚୋରି ରାକେଟ ସହ ମିଶି କାମ କରୁଥିବା କହିଛନ୍ତି। ପୋଲିସ ୨୫୫/୧୯ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଜିତେନ୍ଦ୍ର ଓ ଦେବାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share