Categories: ଜାତୀୟ

ଯାଞ୍ଚ କରିବାକୁ ପଡିବ ରାମଦେବଙ୍କ କରୋନା ଔଷଧ: ଆୟୁଷ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ମଙ୍ଗଳବାର କରୋନା ସଂକ୍ରମଣ ଠିକ୍‌ କରିବାକୁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଥିଲା। ଏହାପରେ ଏହି କରୋନା ଔଷଧକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଥିଲା। ହେଲେ ଆୟୁଷ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି କମ୍ପାନୀକୁ ପ୍ରଥମେ ଔଷଧର ପରୀକ୍ଷଣ କରିବାକୁ ପଡିବ। ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଦେବାକୁ ପଡିବ। ବୁଧବାର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି ନିୟମ ଅନୁଯାୟୀ ପ୍ରଥମେ ଆୟୁଷ ମନ୍ତ୍ରଣାଳୟରେ ଔଷଧର ଯାଞ୍ଚ କରିବା ଦରକାର। ଏହା ଭଲ କଥା ଯେ ବାବା ରାମଦେବ ଦେଶକୁ କରୋନା ଭଳି ମାହାମାରୀ ପାଇଁ ଔଷଧ ଭେଟିଦେଲେ। ହେଲେ ତାଙ୍କୁ ଆୟୁଷ ମନ୍ତ୍ରଣାଳୟର ନିୟମ ପାଳନ କରିବା ଜରୁରୀ। ଅନ୍ୟପଟେ କରୋନା ଔଷଧକୁ ନେଇ ବାବା ରାମଦେବ ଆୟୁଷ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଥିବା କହିଥିବା ବେଳେ ଏହାର ଯାଞ୍ଚ ପରେ ପ୍ରୟୋଗ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଯେଉଁ ଔଷଧ ପ୍ରସ୍ତୁତ କରିଛି ତା’ର ନାଁ ରହିଛି ‘ଦିବ୍ୟ କରୋନିଲ ଟାବଲେଟ’।

Share