ଯାତାୟାତ କଟକଣାରୁ ମୁକ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ

କଟକ ଅଫିସ/ ଭୁବନେଶ୍ୱର (ବ୍ୟୁରୋ),୨୫ା୩: କରୋନା ଭୂତାଣୁ ସଂକ୍ରମଣ ଏଡାଇବା ପାଇଁ ସାରା ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ସରକାର। ଏହି ସମୟରେ ଯାତାୟାତ ନେଇ ବିିଭିନ୍ନ କଟକଣା ଜାରି ହୋଇଛି। ତେବେ ଜରୁରୀ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ହସ୍ପିଟାଲ କର୍ମଚାରୀ ଏହି କଟକଣାରୁ ମୁକ୍ତ ଏବଂ ସେମାନେ ଆଇକାର୍ଡ ଦେଖାଇ ଯାତାୟାତ କରିପାରିବେ ବୋଲି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କହିଛନ୍ତି। ମଙ୍ଗଳବାର ଏ ସଂକ୍ରାନ୍ତରେ ଡିଜିପି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ସମସ୍ତ ଏସ୍‌ପି, ଡିସିପି, ଡିଆଇଜି, ଆଇଜି ଏବଂ ପୋଲିସ କମିଶନରଙ୍କ ନିକଟକୁ ପଠାଯାଇଛି। ଜରୁରୀ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ହସ୍ପିଟାଲ କର୍ମଚାରୀଙ୍କୁ ପୋଲିସ ବିନା କାରଣରେ ଗୋଟିଏ ସ୍ଥାନରେ ଅଟକାଇ ରଖି ପାରିବ ନାହିଁ। ଯଦି ସେଭଳି କୌଣସି ଖବର ଆସେ ଯେଉଁ ପୋଲିସ କର୍ମଚାରୀ ଅଟକାଇ ରଖିଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।
ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ବର୍ତ୍ତମାନ ସମସ୍ତଙ୍କୁ ପାସ୍‌ ଯୋଗାଇବା ସମ୍ଭବ ହେଉନାହିଁ। ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ପାସ୍‌ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଯେଉଁମାନେ ଜରୁରୀ ସେବାରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଏହି ପାସ୍‌ ମିଳିବ। ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ସରକାରୀ ଏବଂ ଘରୋଇ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଯାତାୟାତ କଟକଣାରୁ ମୁକ୍ତ ରହିବେ। ଏଥିପାଇଁ ସେମାନଙ୍କୁ ବୈଧ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଅନ୍ୟପକ୍ଷରେ ମଙ୍ଗଳବାର ଭୁବନେଶ୍ୱରର ବିଭିନ୍ନ ଛକରେ କେତେଜଣ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ହସ୍ପିଟାଲ ଯିବା ସମୟରେ ନିଜ ଆଇକାର୍ଡ ଦେଖାଇଥିଲେ ବି ପୋଲିସ ସେମାନଙ୍କୁ ପାସ୍‌ ମାଗୁଥିବା ଦେଖିବାକୁ ମିଳିଥିଲା। ଫଳରେ ଅସେନ୍ତାଷ ପ୍ରକାଶ ପାଇଥିଲା।

Share