ଯାତ୍ରାମଣ୍ଡପ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: କାମ ବନ୍ଦ ଲାଗି ବିଡିଓଙ୍କୁ ଦାବିପତ୍ର

ଜମନକିରା,୩୦।୧(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଛେମୁଣ୍ଡା ଗାଁରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଆରମ୍ଭ ହୋଇଥିବା ଯାତ୍ରାମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଗାଁର କିଛି ଲୋକ ଗୁରୁବାର ସ୍ଥାନୀୟ ବିଡିଓଙ୍କୁ ସାକ୍ଷାତ କରି କାମ ବନ୍ଦ ପାଇଁ ଲିଖିତ ଦାବି କରିଛନ୍ତି। ତେବେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉକ୍ତ କାମକୁ ବନ୍ଦ କରାଯାଇଥିବା ବିଡିଓ ଅଜୟ ତିୱାରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଛେମୁଣ୍ଡା ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶା ସରକାରଙ୍କ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଏକ ଯାତ୍ରାମଣ୍ଡପ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉକ୍ତ କାମଟି ଗାଁର ଗଣ୍ଡପଡ଼ାରେ ଆରମ୍ଭ କରାଯାଇଥିଲା। ତେବେ ଏହି କାମକୁ ଗାଁର କିଛି ଲୋକ ବିରୋଧ କରିଥିଲେ। କାରଣ ପୂର୍ବରୁ ଗ୍ରାମବାସୀ ଗାଁ ମଝିରେ ନିର୍ମାଣ ପାଇଁ ଦାବି କରିଥିଲେ। ଏହା ସତ୍ତ୍ୱେ ବ୍ଲକ୍‌ ପ୍ରଶାସନ ନିଜ ଇଚ୍ଛାରେ ଗଣ୍ଡପଡ଼ାରେ ନିର୍ମାଣ ଯୋଜନା ଯୋଗୁୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଗାଁରେ ଏକ ବୈଠକ କରି କାମ ବନ୍ଦ ନିଷ୍ପତ୍ତି ହୋଇଥିଲା। ଏହି କ୍ରମେ ଛେମୁଣ୍ଡା ଗାଁର କିଛି ଲୋକ ସ୍ଥାନୀୟ ବିଡିଓଙ୍କୁ ଏନେଇ ଦାବିପତ୍ର ମାଧ୍ୟମରେ କାମ ବନ୍ଦ ସହ ସଠିକ୍‌ ସ୍ଥାନରେ ନିର୍ମାଣ ପାଇଁ ଦାବି କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଟିକେଶ୍ୱର ମହାକୁଳ, ପ୍ରତାପଚନ୍ଦ୍ର ମହାକୁଳ, ସୁଶାନ୍ତ ଝାଙ୍କର, ଅଜିତ କୁମାର ମହାକୁଳ, ପ୍ରଶାନ୍ତ କାଲୋଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।