ଯାତ୍ରା ଅଲରାଉଣ୍ଡର ଦୀପ୍ତିଦିବ୍ୟ ଓରଫ୍‌ ମାନା

”ଜିନା ତେରି ଗଲି ମେଁ। ମରନା ତେରି ଗଲି ମେଁ। କଅଁଳ ଘାସ ଦେଖିଲେ ଛେଳି ଛୁଆଟା ଖାଲି ମେଁ ମେଁ। ଆଚ୍ଛା ତୋ ବୟଫ୍ରେଣ୍ଡ!“ ଏମିତି ଏକ ମାନିଆ ଡାଏଲଗ୍‌ ରହିଛି ଚଳିତବର୍ଷର ଏକ ବହୁ ଚର୍ଚ୍ଚିତ ନାଟକ ସି.ଆଇ.ଡି. ଦୟାରେ। ଆଉ ଏଭଳି ଡାଏଲଗ୍‌ କହି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଦଉଥିବା କଳାକାର ଜଣକ ହେଉଛନ୍ତି ଦୀପ୍ତିଦିବ୍ୟ। ଦୀପ୍ତିଦିବ୍ୟ ତାଙ୍କର ପିତୃମାତୃଦତ୍ତ ନାମ। ହେଲେ ଯାତ୍ରାରେ ସେ ମାନା ଭାବରେ ପରିଚିତ। ମାନା ଜଣେ ଅଲରାଉଣ୍ଡର ଆର୍ଟିଷ୍ଟ। ସେ ହିରୋ କରିପାରନ୍ତି। ଆଣ୍ଟିହିରୋ ସାଜିପାରନ୍ତି। ଖଳନାୟକ ଭୂମିକାରେ ଅଭିନୟ କରିପାରନ୍ତି। ପୁଣି ଚରିତ୍ର ଭୂମିକା ବି ତୁଲେଇ ପାରନ୍ତି। ଘର ଜଗତ୍‌ସିଂହପୁର ଜିଲାର ରାଢ଼ଙ୍ଗ। ତାଙ୍କର ଆଉ ଏକ ପରିଚୟ ସେ ହେଉଛନ୍ତି ଯାତ୍ରା ଜଗତର ଅଭିଜ୍ଞ ଚରିତ୍ର ଅଭିନେତା ଅଶୋକ ରାଉତଙ୍କ ପୁତୁରା। ପିଲାବେଳେ ତ ଯାତ୍ରା ପ୍ରତି ରୁଚିଥିଲା। ଥରେ ସେ ଡ୍ରାମାରେ ପ୍ରକ୍ସି ଭୂମିକା କରୁଥିଲେ। ସେଇଠି ତାଙ୍କୁ ଦେଖିଥିଲେ ଅଶ୍ରୁମୋଚନ। ସେ ତାଙ୍କୁ ନେଇ ଆସିଲେ ରବୀନ୍ଦ୍ରମଣ୍ଡପ। ଆଉ ରବୀନ୍ଦ୍ରମଣ୍ଡପରୁ ପେସାଦାର ଯାତ୍ରା। ୧୯୯୮ ମସିହାରେ ସେ ପ୍ରଥମେ ଆସିଲେ ତୁଳସୀ ଗଣନାଟ୍ୟକୁ। ତାଙ୍କୁ ମିଳିଲା ପାର୍ଶ୍ୱନାୟକର ଭୂମିକା। ତୁଳସୀରୁ ଆସିଲେ ସାହାଣୀ ଅପେରା। ଏହି ସାହାଣୀ ଅପେରାରେ ହିଁ ତାଙ୍କ ପ୍ରତିଭା ଲୋକଲୋଚନକୁ ଆସିଲା ବୋଲି କହନ୍ତି ଦୀପ୍ତିଦିବ୍ୟ ଓରଫ୍‌ ମାନା। ସାହାଣୀ ଅପେରାର ପୃଷ୍ଠପୋଷକ ଫକୀର ମୋହନ ସାହାଣୀ ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନିଲେ। ତାଙ୍କୁ ଆକ୍ଟିଂ ସହିତ ଆଙ୍କରିଂର ସୁଯୋଗ ଦେଲେ। ପୁଣି ମେଲୋଡ଼ିରେ ଗୀତ ଗାଇବାକୁ ମଧ୍ୟ ପ୍ରୋତ୍ସାହିତ କଲେ। ସେଇଠି ତାଙ୍କୁ ମିଳିଲା ନାୟକ ପୁଣି ଆଣ୍ଟିହିରୋର ଭୂମିକା। ଏହା ପରେପରେ ସେ ସାତଶଙ୍ଖ, ପାର୍ବତୀ, ବିଶ୍ୱ ରଙ୍ଗମହଲ, କଳିଙ୍ଗ ଆଦିରେ ଅଭିନୟ କରି ସମ୍ପ୍ରତି ଯାତ୍ରା ସ୍ବପ୍ନମହଲରେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗାସିଲଟ, ଦ୍ୱିତୀୟ ପୁରୁଷ, ପାଣି କୋଇଲିର ରାଣୀ ମାଉସୀ, କୁନି ନୂଆବଉ ଟିକି ଦିଅର, ସଉତୁଣୀ, ମଙ୍ଗୁଳି ଛକର ଲଙ୍ଗଳା ଲୋକ, କହିଦେଲେ ତୁ ମରିଯିବି ମୁଁ, ସୁନା ପଞ୍ଜୁରି ମାଟିର ଶାରୀ, ଆପଣମାନେ ଖୁସି ତ, ସି.ଆଇ.ଡି. ଦୟା ଏବଂ ଆହୁରି ଅନେକ। ସେ ଆଜି ଯଦି ଯାତ୍ରାକୁ ଆସି ତିଷ୍ଠିପାରିଛନ୍ତି ତା’ପଛରେ ରହିଛି ତାଙ୍କ ପରିବାରର ଅକୁଣ୍ଠ ସମର୍ଥନ। ବାପା ପ୍ରଫୁଲ୍ଲ କୁମାର ରାଉତ ଏବଂ ମା’ ଚପଳା ମହାନ୍ତିଙ୍କ ଆଶୀର୍ବାଦ ତଥା ପୋଲିସ ଚାକିରିରେ କାର୍ଯ୍ୟରତ ତାଙ୍କର ସାନ ଭାଇ ମୁକ୍ତିଦିବ୍ୟ (କୁନା)ର ଭଲ ପାଇବା ତାଙ୍କୁ ଏ ଦିଗରେ ଆଗକୁ ବାଟ କଢ଼େଇ ନଉଛି ବୋଲି କହନ୍ତି ଏହି ଅଭିନେତା।

Share