ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ ଯେଉଁ ସୁବାସଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଟ୍ରାଜେଡି କିଙ୍ଗ୍ ବା କିଙ୍ଗ୍ଷ୍ଟାର ସୁବାସ ବେହେରା। ଆଉ ମାମା’ ହେଉଛନ୍ତି ତାଙ୍କ ବିପକ୍ଷରେ ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିଥିବା ଜଲିଉଡ୍ର ଅନ୍ୟତମ ଚୁଲ୍ବୁଲି ଅଭିନେତ୍ରୀ। ଆଜି ମଞ୍ଚ ଉପରେ ସୁବାସ-ମାମାଙ୍କ ଯୋଡ଼ିକୁ ଦେଖି ତାଳି ମାରୁଥିବା ଅନେକ ଯାତ୍ରାପ୍ରେମୀ ହୁଏତ ଏକଥା ଜାଣି ନ ଥିବେ ଯେ, ଏହି ଯୋଡ଼ିର ଆରମ୍ଭ ହୋଇଥିଲା ଆଜିକୁ ଠିକ୍ ପାଞ୍ଚବର୍ଷ ପୂର୍ବେ; ଅର୍ଥାତ୍ ୨୦୧୪ ମସିହାରେ ତତ୍କାଳୀନ ଯାତ୍ରାନୁଷ୍ଠାନ ‘ବିଶ୍ୱ ରଙ୍ଗମହଲ’ର ଦ୍ୱିତୀୟ ବର୍ଷରେ। ନାଟକ ଥିଲା ‘ଶୂନ ଫୋଟକା’। ଏହାପୂର୍ବରୁ ମାମା କମେଡ଼ି ତଥା ସାଇଡ୍ରେ ଉଭୟ ପଜିଟିଭ୍, ନେଗେଟିଭ୍ ଭୂମିକାରେ ଅଭିନୟ କରିସାରିଥିଲେ। ହେଲେ ନାୟିକା ସାଜି ନ ଥିଲେ। ତେବେ ତାଙ୍କୁ ସିଧାସଳଖ ନାୟିକା ଭାବରେ ନେବା ରିସ୍କ ତ ଥିଲା। ତେବେ ମାମାଙ୍କ ଅଭିନୟ ଉପରେ ଭରସା ଥିଲା। ତାଙ୍କ ଭିତରେ ଯେ ନାୟିକା ହେବାର ଉପାଦାନ ରହିଛି ସେ କଥା ସେତେବେଳକୁ ଜଣା ପଡ଼ିସାରିଥିଲା। ତେଣୁ ନିର୍ଦ୍ଦେଶକ, ପ୍ରଯୋଜକ ମାମାଙ୍କୁ ନାୟିକା ଭାବରେ ସୁଯୋଗ ଦେଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ସୁବାସ-ମାମା ଯୋଡ଼ି। ‘ଶୂନ ଫୋଟକା’ରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଇତିମଧ୍ୟରେ ଦର୍ଶକଙ୍କୁ ବହୁ ସଫଳ ନାଟକ ଭେଟି ଦେଇଛନ୍ତି। ସେଥିମଧ୍ୟରେ ରହିଛି ‘ସ୍ତ୍ରୀମାନେ ସାବଧାନ’, ‘ଯିଏ ବାହା ହବ ସିଏ ମରିବ’, ‘ତୋ ଚାରିଖୁରାକୁ ଜୁହାର’, ‘କଥା ଉଠିଛି ତୋ ନଁାରେ’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୁଁ ବାହୁବଳି’, ‘ଦେଖିଲେ ଜାଣିବ ଦରଦ କେତେ’, ‘ମୋ ଠିକଣା ମୋତେ ଅଜଣା’, ‘ଧରମ ସ୍ତ୍ରୀ’, ‘ଅଧେ ତୋର ଅଧେ ମୋର’, ‘ବାହା ହେଇଛ ନା ବାଡୁଅ ଅଛ’, ‘କେମିତି ରାତି ସେ କେମିତି ସାଥୀ’ ଏବଂ ଆହୁରି ଅନେକ। ମାମାଙ୍କ ସମ୍ପର୍କରେ ସୁବାସ କହନ୍ତି : ‘ମାମା ଜଣେ ନିଷ୍ଠାପର ଅଭିନେତ୍ରୀ। ସେ ସବୁବେଳେ ଶିଖିବାକୁ ଚାହେଁ। ସେ ଗୋଟେ କଞ୍ଚାମାଟିର ପିଣ୍ଡୁଳା। ଯାହା ଶିଖେଇଲେ ଶିଖେ। ନ ଶିଖିବା ପର୍ଯ୍ୟନ୍ତ ଲାଗିଥାଏ। ଆଜିକାଲି ଅନେକ ଅଭିନେତ୍ରୀ ବର୍ଷେ ଦୁଇବର୍ଷ ନାୟିକା ହେବା ପରେ ଗର୍ବରେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି। ହେଲେ ମାମା ସେସବୁଠୁ ଦୂରରେ। ତେଣୁ ମୋର ବିଶ୍ୱାସ ଯଦି ମାମା ତା’ର ଏହି ଗୁଣକୁ ଧରି ବାଟ ଚାଲିବ ତା’ହେଲେ ସେ ଦିନେ ନା ଦିନେ ନମ୍ବର ଓ୍ବାନ୍ ନାୟିକାର ଶିଡ଼ି ଚଢ଼ିବ। ଆଉ ଟୁନୀ ଭଳି ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହୋଇପାରିବ।’ ସେମାନଙ୍କ ଯୋଡ଼ିର ଏକାଧିକ ସଫଳ ନାଟକ ରହିଥିଲେ ମଧ୍ୟ ‘କେମିତି ରାତି ସେ କେମିତି ସାଥୀ’ ନାଟକଟିକୁ ସବୁଠାରୁ ସଫଳ ବୋଲି କହନ୍ତି ସୁବାସ। କାରଣ ଏଥିରେ ସେମାନଙ୍କ ସ୍ବାମୀ ସ୍ତ୍ରୀର ଅଭିନୟ ଏତେ ଜୀବନ୍ତ ହୋଇଛି ଯେ, ଦର୍ଶକମାନେ ଅଭିନୟରୁ ନିଜ ନିଜର ସଂସାରକୁ ଖୋଜି ପାଆନ୍ତି।
ଅଭିନେତା ତଥା ନାୟକ ସୁବାସଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ ଯେ, ଚରିତ୍ରକୁ ବୁଝି ତାହାକୁ ଉଚିତ ନ୍ୟାୟ ଦେବାରେ ସେ ଜଣେ ସଫଳ କଳାକାର। ସେ ମଞ୍ଚକୁ ଆସିଲେ ଟ୍ରାଜେଡିର ବନ୍ୟା ବହେ। ସୁବାସ କହନ୍ତି : ‘ସମସ୍ତଙ୍କ ଜୀବନରେ ଟ୍ରାଜେଡି ବା ଲୁହ ହେଉଛି ଶେଷକଥା। ଯେତେବେଳେ ସବୁ ସରିଯାଏ ସେତେବେଳେ ଲୁହ ବାହାରେ। ଏମିତି ଚରିତ୍ର ସବୁ କରିବା ବେଳେ ମୁଁ ଏକାକାର ହୋଇଯାଏ ସେହି ଚରିତ୍ରମାନଙ୍କ ସହିତ। ଥରୁଟେ ଏକାକାର ହୋଇଗଲା ପରେ ଆଉ କାନ୍ଦିବାକୁ ପଡ଼େନାହିଁ। ମନକୁ ମନ ଛାତିରୁ ଆଖିବାଟ ଦେଇ ଲୁହ ସବୁ ବାହାରକୁ ଝରିଯାଏ।’ ଚଳିତ ବର୍ଷ ପରି ଆସନ୍ତା ୨୦୧୯-୨୦ ଯାତ୍ରା ଋତୁରେ ମଧ୍ୟ ଏହି ଯୋଡ଼ି ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିବେ ବୋଲି କହିଛନ୍ତି ଅନୁଷ୍ଠାନର ପ୍ରଯୋଜକ ସତ୍ୟ ଜେନା।