ଯାତ୍ରା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପୋଲିସକୁ ଦୁର୍ବ୍ୟବହାର

ପଦ୍ମପୁର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର କପିଳମୁନି ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ଚାଲିଥିବା ବେଳେ କିଛି ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ସ୍ଥାନୀୟ ଯୁବକ ବାଲିମୁଣ୍ଡା ଅଞ୍ଚଳର ୨ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ କାଦୁଅରେ ପୋତି ପକାଇଥିଲେ। ଖବରପାଇ କଶିଆ ସାମୁଦ୍ରିକ ଥାନା ଅଧିକାରୀ ବିଜୟ କୁମାର ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଯୁବକ ଥାନା ଅଧିକାରୀ ଓ ପୋଲିସଙ୍କୁ ଧକ୍କା ମାରିବା ସହ ଟଣାଓଟରା କରିଥିଲେ। ନାୟକାଣିଡିହୀ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏ ନେଇ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଗଣ୍ଡଗୋଳକାରୀ ୨ ଯୁବକଙ୍କୁ କାବୁକରି ଥାନାକୁ ନେବାବେଳେ ଜଣେ ଯୁବକ ଫେରାର ହୋଇଯାଇ ଥିଲେ। ଅନ୍ୟ ଜଣେ ଅଟକ ଅଛନ୍ତି। ଅପେରାର ଚେୟାର, ବିଭିନ୍ନ ସାମଗ୍ରୀ ଓ କ୍ୟାଶ୍‌ କାଉଣ୍ଟରରୁ ୫୦ ହଜାର ଟଙ୍କା ନେଇ ଯାଇଥିବା ସମ୍ପର୍କରେ କମିଟି ଶନିବାର ଥାନାରେ ଅଭିଯୋଗ କରିଛି। ଥାନାରେ କେସ ନଂ. ୨/୨୦ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।