ଯାତ୍ରା ପାଇଁ ସମର୍ପିତ ରତି-ମିଟୁନା

କୁହାଯାଏ ଯୋଡ଼ି ସ୍ବର୍ଗରେ ତିଆରି ହୁଏ। ଆଉ ଉପରବାଲା ହିଁ ଜୀବନସାଥୀ ବାଛିଦିଏ। ଯିଏ ଯେଉଁଠି ଜନ୍ମ ହୋଇଥାଉ, ଯିଏ ଯେଉଁଠି ଯେଉଁ କାମ କରୁଥାଉ ନା କାହିଁକି ଯିଏ ଯାହାର ସିଏ ତାହାର। ଓଡ଼ିଆ ଯାତ୍ରା ଜଗତର ଦୁଇ ପ୍ରସିଦ୍ଧ ଯୋଡ଼ି ରତି ଓରଫ ରତିକାନ୍ତ ପରିଡ଼ା ଓ ମିଟୁନା ଏହାର ଏକ ଉଦାହରଣ। ରତି ଓରଫ ରତିକାନ୍ତ ପରିଡ଼ାଙ୍କ ଘର ମୟୂରଭଞ୍ଜର ଉଦଳା ହୋଇଥିବା ବେଳେ ମିଟୁନାଙ୍କ ଘର ଜଗତ୍‌ସିଂହପୁର। ଉଭୟେ କୋଣାର୍କ ଗଣନାଟ୍ୟରେ ଅଭିନୟ କରୁଥିଲେ। ସେଇ ଅଭିନୟ ଭିତରେ ଦେଖାଚାହଁା। ସେମାନେ କ’ଣ ଜାଣିଥିଲେ ଯେ, ଏହି ଦେଖାଚାହଁା ଦିନେ ପ୍ରେମ ପାଲଟିଯିବ? ସେମାନେ ତ କେବଳ ମଞ୍ଚ ଉପରେ ସ୍ବାମୀ ସ୍ତ୍ରୀ ହେଉଛନ୍ତି। ସେମାନେ କ’ଣ ଜାଣିଥିଲେ ସେମାନେ ଦିନେ ସତସତିକା ସ୍ବାମୀ ସ୍ତ୍ରୀ ହୋଇଯିବେ? ବାସ୍ତବରେ ସେଇଆ ହିଁ ଘଟିଥିଲା। ସେମାନେ ମଞ୍ଚ ଉପରେ ସ୍ବାମୀସ୍ତ୍ରୀ ହେଉ ହେଉ ଦିନେ ଅନୁଭବ କରିଥିଲେ ଯେ, ଦୁହେଁ ହେଉଛନ୍ତି ଦୁଇଜଣଙ୍କର ଜୀବନସାଥୀ। ୨୦୦୫ରେ ସେମାନଙ୍କର ବାହାଘର ହୋଇଥିଲା। ରତିଙ୍କ ଆଗରୁ ମିଟୁନା ଆସିଥିଲେ ଯାତ୍ରାକୁ। ରତି ୨୦୦୨ରେ ଯାତ୍ରାକୁ ଆସିଥିବା ବେଳେ ମିଟୁନା ମହାବାତ୍ୟା ପୂର୍ବରୁ ଯାତ୍ରାରେ ଯୋଗଦେଇ ସାରିଥିଲେ। ତେଣୁ ସ୍ତ୍ରୀ ହୋଇଥିଲେ ବି ରତିକାନ୍ତ ମିଟୁନାଙ୍କୁ ଜଣେ ସିନିୟର ଆର୍ଟିଷ୍ଟ ବୋଲି ମନେକରନ୍ତି। ଆଉ ଯେତେବେଳେ ମିଟୁନାଙ୍କୁ ପ୍ରଶଂସା ମିଳେ ସେତେବେଳେ ସେ ଭାରି ଖୁସି ଅନୁଭବ କରନ୍ତି। ଘରେ କିମ୍ବା ବସାଘରେ ସିନା ସେମାନେ ସ୍ବାମୀସ୍ତ୍ରୀ ହେଲେ ମଞ୍ଚ ଉପରକୁ ଚାଲିଗଲେ ବଦଳିଯାଏ ସେମାନଙ୍କର ପରିଚୟ। ସେମାନଙ୍କ ଉପରେ ଚରିତ୍ର ସବାର କରିଯାଏ। ସେମାନେ ରାତି ସାରା ସେହି ଚରିତ୍ରକୁ କାନ୍ଧରେ ବୋହି ଚାଲନ୍ତି। ସ୍ବାମୀ ସ୍ତ୍ରୀ ଦୁଇଜଣ ଯାକ ଗୋଟିଏ ପାର୍ଟିରେ ରହିଥିବାରୁ ପରିବାର ପ୍ରତି ସମୟ ଦେଇପାରୁ ନାହାନ୍ତି ବୋଲି ରତିଙ୍କ ଭିତରେ କ୍ଷୋଭ ରହିଛି। ଗୋଟିଏ ପୁଅ କୁମାର କୌସ୍ତୁଭ ପରିଡ଼ା। ଭୁବନେଶ୍ୱରରେ ହଷ୍ଟେଲରେ ରହି ପାଠ ପଢୁଛି। ତା’ ପ୍ରତି ସମୟ ସେମାନେ ଦେଇପାରୁ ନାହାନ୍ତି। ପୁଣି ପ୍ରତ୍ୟେକ ନାଟକରେ ସେମାନଙ୍କୁ ରୋଲ ମିଳୁଥିବାରୁ ଛୁଟି ମଧ୍ୟ ମିଳୁନାହିଁ। ତେବେ ଆସନ୍ତା ଯାତ୍ରା ସିଜନରେ ସେମାନଙ୍କ ପାଇଁ ଛୁଟିର ବ୍ୟବସ୍ଥା ରଖାଯିବ ବୋଲି କୋଣାର୍କ ଅନୁଷ୍ଠାନର ମାଲିକ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟେ ହେଉଛନ୍ତି ଉଭୟଙ୍କ ପାଇଁ ପ୍ରେରଣାର ଉତ୍ସ। ସେମାନେ ବହୁ ସଫଳ ନାଟକରେ ଏକତ୍ର ଅଭିନୟ କରିଛନ୍ତି। ସେଥିମଧ୍ୟରେ ରହିଛି କଉଡ଼ିଖେଳ, ରାଧା ପିନ୍ଧିଦେଲା ମୀରା ସିନ୍ଦୂର, ଦୁଃଖ ଦେଇଗଲା ଦରଦୀ ବନ୍ଧୁ, ଜଙ୍ଗଲ ଦସ୍ୟୁ ବୀରାପ୍ପାନ, କାଇଁଚମାଳି, ଦଇତାରି ପଣ୍ଡା ବାହା ହଉଛି, ମଣିଷ ଦେଖିଲେ ଡର ଲାଗୁଛି, ମୁଦ୍ରା ରାକ୍ଷସ, ତୋ ଚାରିଖୁରାକୁ ଜୁହାର ଏବଂ ଆହୁରି ଅନେକ। ସେମାନଙ୍କର ଜୀବନ କେବଳ ଯାତ୍ରା ପାଇଁ ସମର୍ପିତ ବୋଲି କହନ୍ତି ଏହି ଦମ୍ପତି।

Share