ଯାତ୍ରୀଙ୍କୁ ଆକ୍ରମଣ: ଅଟୋ ଚାଳକ ଗିରଫ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): ଅଟୋ ଚାଳକଙ୍କ ଉନ୍ମତ୍ତକାଣ୍ଡ । ଦ୍ରୁତ ଗତିରେ ବେପରୁଆ ଅଟୋଚାଳନା ଯୋଗୁ ଅନ୍ୟ ଅଟୋରେ ଯାଉଥିବା ଯାତ୍ରୀଙ୍କ ଉପରେ ପଡ଼ିଲା ରାସ୍ତାପାଣି। ଏହାକୁ ବିରୋଧ କରିବାରୁ ଜଣେ ଯାତ୍ରୀଙ୍କୁ ଲୁହାରଡ୍‌ରେ ପିଟି ମରଣାନ୍ତକ ଆକ୍ରମଣ କଲେ। ଘଟଣାଟି ଘଟିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ସିଟି ମହିଳା ମହାବିଦ୍ୟାଳୟ ପାଖରେ। ଅଭିଯୁକ୍ତ ଅଟୋଚାଳକଙ୍କୁ ଗିରଫ କରିଛି ପୋଲିସ। ସେ ହେଲେ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ରହୁଥିବା ପ୍ରଶାନ୍ତ ପାଇକରାୟ(୩୧)। ତାଙ୍କ ଅଟୋକୁ ପୋଲିସ ଜବତ କରିବା ସହ ପ୍ରଶାନ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି ା
ଗୁରୁବାର ରାତି ସାଢେ ୮ଟା। ଏକ ଅଟୋରେ ଶିଶୁଭବନ ଛକରୁ ନିଜଘର ଡୁମୁଡୁମା ହାଉସିଂବୋର୍ଡକୁ ଫେରୁଥିଲେ ସୟଦ୍‌ ଅହମ୍ମଦ ରାଜା(୪୯)। ସେ ଆସୁଥିବା ଅଟୋ ପଛରେ ପ୍ରଶାନ୍ତଙ୍କ ଅଟୋ ଦୃତଗତିରେ ଆସି ଓଭରଟେକ୍‌ କରିଥିଲା। ରାସ୍ତାରେ ଥିବା ପାଣି ପଡ଼ିଥିଲା ସୟଦ୍‌ଙ୍କ ଦେହରେ। ତୁରନ୍ତ ପ୍ରଶାନ୍ତଙ୍କ ଅଟୋକୁ ପିଛା କରି ସିଟି ମହିଳା ମହାବିଦ୍ୟାଳୟ ନିକଟରେ ଅଟକାଇଥିଲେ ସୟଦ୍‌ । ପଚାରିଥିଲେ ଏମିତି କ’ଣ ଅଟୋ ଚଲାଇବା କଥା! ତୁମ ପାଇଁ ମୋ ଦେହରେ ରାସ୍ତା ପାଣି ପଡ଼ିଲା। ତୁମଭଳି କିଛି ଚାଳକଙ୍କ ପାଇଁ ଦୁର୍ଘଟଣା ଘଟୁଛି। ଏତିକି କଥାରେ ଉତ୍‌କ୍ଷିପ୍ତ ହୋଇଉଠିଲେ ପ୍ରଶାନ୍ତ। ନିଜ ଅଟୋ ଭିତରେ ରଖିଥିବା ଏକ ଲୁହାରଡରେ ସୟଦ୍‌ଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ସୟଦ୍‌ ଦାୈଡିବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରଶାନ୍ତ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଗୋଇଠା ମାରି ଡ୍ରେନରେ ପକାଇ ଦେଇଥିଲେ। ଗୁରୁତର ସୟଦ୍‌ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଥାନାରେ ଅଭିଯୋଗ ହେବା ପରେ ପୋଲିସ୨୧୦/୨୦ନମ୍ବରରେ ମାମଲା ରୁଜୁ କରିଥିଲା।

Share