ବଇଣ୍ଡା,୨୮।୯(ଡି.ଏନ.ଏ.) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସାନହୁଲା କ୍ରସର ଛକଠାରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଭାଙ୍ଗି ଦେବା ପାଇଁ ଯୋଜନା କରାଯାଉଛି। ଏହାକୁ ସାନହୁଲା କ୍ରସରସାହି ବାସିନ୍ଦା ବିରୋଧ କରିବା ସହ ଆନ୍ଦୋଳନ କରିବେ ବୋଲି ନିଷ୍ପତି ନେଇଛନ୍ତି। ଏ ନେଇ ଏକ ଅଭିଯୋଗପତ୍ର ମାଧ୍ୟମରେ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ଉପଜିଲାପାଳ, ତହସିଲଦାର, ଠାକୁରଗଡ଼ ଆଇଆଇସିଙ୍କୁ ପ୍ରଦାନ କରାଯାଇଛି।
ଗ୍ରାମବାସୀ କହିଛନ୍ତି,୨୦ ବର୍ଷ ତଳେ ଜନସାଧାରଣଙ୍କ ପାଇଁ ସାନହୁଲା କ୍ରସର ଛକଠାରେ ସରକାରୀ ଜମିରେ ଏକଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଥିଲା। ଆଠମଲ୍ଲିକ, ଠାକୁରଗଡ଼, ପାଇକସାହି, ଟାପଢୋଲ, ଅନ୍ତୁଳିଆ, ବଇଣ୍ଡା, ଅନୁଗୋଳ, ସମ୍ବଲପୁର ଆଦି ବିଭିନ୍ନ ଜାଗାକୁ ଯିବା ପାଇଁ ଏହି ଯାତ୍ରୀ ବିଶ୍ରାମାଗାରରେ ଜନସାଧାରଣ, ବହୁ ଛାତ୍ରୀଛାତ୍ର ଅପେକ୍ଷା କରିଥାନ୍ତି। ତେବେ କେତେକ ବ୍ୟକ୍ତି ଏହି ବିଶ୍ରାମାଗାରକୁ ଭାଙ୍ଗିବା ପାଇଁ ଯୋଜନା ଚଳାଇଛନ୍ତି। କେତେକ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ରାତି ଅଧିଆ ଭାଙ୍ଗି ଦେବା ପାଇଁ ଉଦ୍ୟମ କରାଯାଉଛି। ବିଶ୍ରାମାଗାର ଭାଙ୍ଗି ଦିଆଗଲେ ବହୁ ଗ୍ରାମବାସୀ ହଇରାଣ ହେବେ। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏହି ଯୋଜନା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ପଦକ୍ଷେପ ନ ନେଲେ ଆଗାମୀ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ସନ୍ତୋଷ ନାୟକ, ଟୁନୀ ନାୟକ, ବନିତା ନାୟକ, କୁମଦିନି ନାୟକ, କୁଶଧ୍ୱଜ ନାୟକ, ଦିବାକର ସାହୁ, ପ୍ରତିମୟୀ ସାହୁ, ମିଲୁ ମାଝି, ସୁଶାନ୍ତ ଅଦାବର, ରମାକାନ୍ତ ମେହର ପ୍ରମୁଖ ଚେତାବନୀ ଦେଇଛନ୍ତି।