କୋଲକାତା,୨୪।୧୨: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ପୁଣି ଛାତ୍ରଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ମଙ୍ଗଳବାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦେବାକୁ ଯାଇଥିଲେ। କିନ୍ତୁ ସେଠାରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରଦର୍ଶନ କରୁଥିବା ଛାତ୍ରମାନେ ରାଜ୍ୟପାଳଙ୍କ କାର୍କୁ ବିଶ୍ୱବିଦ୍ୟାଳୟ ଗେଟ୍ ବାହାରେ ଅଟକାଇଦେଇଥିଲେ। ଏଥିସହ ତାଙ୍କୁ କଳାପତାକା ଦେଖାଇ ବିରୋଧ କରିବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟପାଳ ଟୁଇଟରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେହିପରି ସୋମବାର ମଧ୍ୟ ରାଜ୍ୟପାଳ ଧନଖରଙ୍କୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିରୋଧ କରିଥିଲେ। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ସେ କାର୍ରେ ଫସି ରହିଥିବା ବେଳେ ପରେ ତାଙ୍କୁ ସୁରକ୍ଷାକର୍ମୀ ବାହାର କରିଥିଲେ।