Categories: ଜାତୀୟ

ଯାନ୍ତ୍ରିକ ତ୍ରୁଟି ଯୋଗୁ ଯୁଦ୍ଧ ବିମାନ ମିଗ୍‌-୨୯ ଦୁର୍ଘଟଣାଗ୍ରସ୍ତ

ଚଣ୍ଡିଗଡ଼,୮।୫: ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଞ୍ଜାବରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ପଞ୍ଜାବ ନଓ୍ବାନଶହର ଜିଲାର ଚହାଡ଼ପୁରରେ ଶୁକ୍ରବାର ଯୁଦ୍ଧ ବିମାନ ମିଗ୍‌-୨୯ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ପାଇଲଟ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମିଗ୍‌-୨୯ ଯୁଦ୍ଧ ବିମାନ ଶୁକ୍ରବାର ସକାଳ ସାଢ଼େ ୧୦ଟାରେ ଜଲନ୍ଧରର ଆଦମପୁର ଏୟାର ବେସ୍‌ରୁ ପ୍ରଶିକ୍ଷଣ ପାଇଁ ଉଡାଣ ଭରିଥିଲା। କିଛି ସମୟ ଉଡାଣ ଭରିବା ପରେ ଉକ୍ତ ବିମାନ ଦୁର୍ଘଟଣାର ଶୀକାର ହୋଇଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ବିମାନଟି ହୋଶିୟାରପୁରର ଏକ ଗାଁର ଚାଷଜମିରେ ପଡ଼ିଯାଇଥିଲା। ବିମାନ ଦୁର୍ଘଟଣାଗସ୍ତ ହେବା ପୂର୍ବରୁ ପାଇଲଟ ପାରାସୁଟ ଜରିଆରେ ସୁରକ୍ଷିତ ଭାବେ ବାହାରକୁ ବାହାରିଯାଇଥିବା ଜଣାପଡ଼ିଛି।

ତେବେ ବିମାନରେ ନିଆଁ ଲାଗିଥିବାରୁ ଉକ୍ତ ଚାଷଜମି ମଧ୍ୟ ପୋଡି ପାଉଶଁ ହୋଇଯାଇଥିବା କୁହାଯାଉଛି। ଖବରପାଇ ଘଟଣାସ୍ଥଳରେ ବାୟୁସେନା ଅଧିକାରୀ, ପୋଲିସ ଓ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଚାଷଜମି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅପରପକ୍ଷେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଥିବା ବେଳେ ବିଶେଷଜ୍ଞ ଟିମ୍‌ର ଯାଞ୍ଚ ପରେ ସଠିକ୍‌ ତଥ୍ୟ ସାମ୍ନାକୁ ଆସିବ। ଅପରପକ୍ଷେ ଏହି ଘଟଣାର କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚଳିତ ବର୍ଷର ଏହା ପ୍ରଥମ ବିମାନ ଦୁର୍ଘଟଣା।

Share