Categories: ବାଣିଜ୍ୟ

ଯାନ ମୂଲ୍ୟ ବଢାଇ ପାରେ ହୋଣ୍ଡା କାର୍‌ସ

ନୂଆଦିଲ୍ଲୀ,୧୭-୬: ହୋଣ୍ଡା କାର୍‌ସ ଇଣ୍ଡିଆ ଆସନ୍ତା ମାସଠାରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ମୂଲ୍ୟ ବଢାଇବା ନେଇ ବିଚାର କରୁଛି। କମ୍ପାନୀ ଏହାର ବିଭିନ୍ନ ମଡେଲଗୁଡିକର ଦାମ୍‌ ୧.୨% ପର୍ଯ୍ୟନ୍ତ ବଢାଇପାରେ। ଇନ୍‌ପୁଟ ମୂଲ୍ୟ ବୃଦ୍ଧି ଏବଂ ସୁରକ୍ଷା ଫିଚର ସଂଯୋଗ ଯୋଗୁ ଏଭଳି ନିଷ୍ପତ୍ତି ନେଇ କମ୍ପାନୀ ବିଚାର କରୁଛି। ଏହା ପ୍ରିମିୟମ ହ୍ୟାଚ୍‌ବ୍ୟାକ୍‌ ବ୍ରିଓ ଠାରୁ ପ୍ରିମିୟମ ସେଡାନ ଆକର୍ଡ ହାଇବ୍ରିଡ ମଡେଲ ଯୋଗାଣ କରୁଛି। ଜୁଲାଇ ମାସଠାରୁ ମୂଲ୍ୟ ବୃଦ୍ଧି ନେଇ ବିଚାର ଚାଲିଥିବା କମ୍ପାନୀର ସେଲ୍‌ସ ମାର୍କେଟିଂ ବରିଷ୍ଠ ଉପସଭାପତି ତଥା ନିର୍ଦ୍ଦେଶକ ରାଜେଶ ଗୋଏଲ କହିଛନ୍ତି। ଗତ କିଛି ମାସଧରି ଇନପୁଟ ଖର୍ଚ୍ଚ ବଢିଥିବା ବେଳେ ଏହାକୁ କମ୍ପାନୀ ନିଜ ଖର୍ଚ୍ଚରୁ ପରିଚାଳନା କରୁଛି। ଏହାକୁ ଧ୍ୟାନରେ ରଖି କିଛି ମାତ୍ରାରେ ମୂଲ୍ୟ ବୃଦ୍ଧି କରିବାକୁ ଚିନ୍ତା କରାଯାଉଛି ବୋଲି ଗୋଏଲ କହିଛନ୍ତି। ଲଗାତର ଭାବେ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଲାଗି ଏଭଳି ନିଷ୍ପତ୍ତି ନେବାକୁ ଯାଉଛି। ଚଳିତ ବର୍ଷ ଫେବୃୟାରୀରୁ କମ୍ପାନୀ ଏହାର ବିଭିନ୍ନ ମଡେଲ ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ମୂଲ୍ୟ ବଢାଇଥିଲା। ଜାନୁୟାରୀରେ ଦେଶର ବିଭିନ୍ନ କମ୍ପାନୀ କାର ଉପରେ ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ। ପ୍ରମୁଖ କାର ନିର୍ମାତା ମାରୁତି ସୁଜୁକି ମଧ୍ୟ ଏହାର ବିଭିନ୍ନ ମଡେଲ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲା। ଏହାବାଦ ଟୟୋଟା ଏବଂ ଇସୁଜୁ ମଧ୍ୟ ମୂଲ୍ୟ ବଢାଇବା ନେଇ ଯୋଜନା କରୁଥିବା ଜଣାପଡିଛି।

Share