Advertisement

ଯୁକକଙ୍କ ସନ୍ଦେହଜନକ ମୃତ୍ୟୁ: ଥାନାରେ ମାଡ଼ ମରାଯାଇଥିବା ଚର୍ଚ୍ଚା, ଦୋଷ ଝାଡ଼ୁଛି ପୋଲିସ

ନାଉଗାଁ, ୩।୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଯୁବକଙ୍କ ବୁଧବାର ସକାଳେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ନୂଆଗାଁ ଗ୍ରାମର ବନ୍ଦନ ମହାନ୍ତି (୨୭)।
ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ପୀତାମ୍ବର କରଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିିତ ରାତିରେ ବନ୍ଦନ ଗ୍ରାମର ଅଭିଳାଷ ନାୟକ ନାମକ ଜଣେ ଦୋକାନୀଙ୍କୁ ସିଗାରେଟ ମାଗିଥିଲେ। ମାତ୍ର ସେ ଏତେ ରାତିରେ ଦେବାକୁ ମନା କରିବାରୁ ବନ୍ଦନ ହାତରେ ଧରିଥିବା ଲୁହାରଡ଼ରେ ତାଙ୍କୁ ମାଡ଼ ମାରିଥିଲେ। ତେବେ ଅଭିଳାଷ ଚିତ୍କାର କରିବାରୁ ତାଙ୍କ ଘରଲୋକ ଘଟଣାସ୍ଥଳରେ ପହଞ୍ଚି ବନ୍ଦନଙ୍କ ହାତରୁ ରଡ଼ ଛଡ଼ାଇ ସେଥିରେ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଦନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଘଟଣାସ୍ଥଳରୁ ଅଭିଳାଷଙ୍କ ପରିବାର ପକ୍ଷରୁ ଥାନାକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ବନ୍ଦନଙ୍କୁ ନାଉଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିବା ଥାନା ଅଧିକାରୀ କହିଛନ୍ତି। ତେବେ ଏହି ଘଟଣାରେ ଅଭିଳାଷଙ୍କୁ ଥାନାରେ ଅଟକ ରଖାଯାଇ ପଚରା ଉଚରା କରାଯାଉଥିବା ବେଳେ ବନ୍ଦନଙ୍କ ପରିବାର ବାହାରେ ଥିବାରୁ ଏ ନେଇ ତାଙ୍କୁ ଜଣାଇ ଦିଆଯାଇଥିଲେ ସୁଦ୍ଧା ସେମାନଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ। ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଛି।

ଅପରପକ୍ଷେ ବନ୍ଦନଙ୍କୁ ରାତିରେ ଥାନାରେ ରଖାଯାଇ ମାଡ଼ ମାରିବା ପରେ ଗୁରୁତର ହେବାରୁ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel