ଯୁକ୍ତ୨ କଲେଜଗୁଡ଼ିକୁ କଡ଼ା ଚେତାବନୀ: ସିସିଟିଭି ନ ଲଗାଇଲେ ପରୀକ୍ଷାକେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଜାନୁୟାରୀ ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ପରୀକ୍ଷାକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ କଡ଼ା ଚେତାବନୀ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)। ଚଳିତବର୍ଷ ସମସ୍ତ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହୋଇଥିବାବଳେ ଜାନୁୟାରୀ ୧୦ ବା ଶୁକ୍ରବାର ସୁଦ୍ଧା ସମସ୍ତ ପରୀକ୍ଷାକେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ସମସ୍ତ କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଜାନୁୟାରୀ ୭ ସୁଦ୍ଧା ସିସିଟିଭି ଲଗାଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଧିକାଂଶ ପରୀକ୍ଷାକେନ୍ଦ୍ର ଏ ଦିଗରେ ପଦକ୍ଷେପ ନେଇ ନ ଥିବାରୁ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ଚିଠି ଲେଖାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ସିସିଟିଭି ଲଗାଇବା ସମ୍ପର୍କରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ସାମ୍ସ ଇ-ସ୍ପେସ୍‌ରେ ଥିବା ସିସିଟିଭି ଲିଙ୍କ୍‌ ମାଧ୍ୟମରେ ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି। ପରିଷଦର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷାକେନ୍ଦ୍ରର ସମସ୍ତ ହଲ୍‌, ସିଲ୍‌ ପ୍ରଶ୍ନପତ୍ର ରହିଥିବା ସ୍ଥାନ, ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ସ୍ଥାନ, ଅଫିସ୍‌ ରୁମ୍‌, ପ୍ରବେଶ ପଥର ମୁଖ୍ୟ ଫାଟକ ତଥା ଯାଞ୍ଚସ୍ଥଳରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହାବ୍ୟତୀତ କ୍ୟାମ୍ପସ୍‌ ପରିସର, କ୍ଲାସରୁମ୍‌ରୁ ଅଫିସ୍‌ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା, କ୍ୟାମ୍ପସ୍‌ର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ଏବଂ ଲୋକାରଣ୍ୟ ଅଞ୍ଚଳରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଯଦି କୌଣସି କେନ୍ଦ୍ର ସିସିଟିଭି ଲଗାଯିବା ସମ୍ପର୍କିତ ତଥ୍ୟ ନ ଦିଅନ୍ତି, ସେଠାରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

Share