ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ: ବିଜ୍ଞାନରେ ୮୯.୨%, କଳାରେ ୭୦.୪%, ବାଣିଜ୍ୟରେ ୭୫.୮୩%

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଶନିବାର ପ୍ରକାଶ ପାଇଛି। ସାମ୍‌ସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ, ବିଜ୍ଞାନରେ ୮୯.୨% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବାବେଳେ ୮୭. ୬୭% ସହ ଦ୍ୱିତୀୟରେ ଭୁବନେଶ୍ୱରର ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଓ ୮୭.୧୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ବତୀ ବିଦ୍ୟାମନ୍ଦିର ରହିଛି। ସେହିପରି କଳାରେ ୭୦.୪% ସହ ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ୭୦% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ରହିଥିବାବେଳେ ନରସିଂହପୁର ହାୟର ସେକେଣ୍ଡାରୀ ସ୍କୁଲ ୬୮.୧୭% ସହ ତୃତୀୟରେ ରହିଛି। ବାଣିଜ୍ୟରେ ୭୫.୮୩% ସହ ତାଳଚେର ହାୟର ସେକେଣ୍ଡାରୀ ସ୍କୁଲ ପ୍ରଥମରେ ରହିଛି। ୭୫.୫% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ଓ ୭୪.୪% ସହ ଶୈଳବାଳା ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିବା ଯୋଗ୍ୟ ଛାତ୍ରୀଛାତ୍ରମାନେ ଆସନ୍ତା ୧୫ରୁ ୧୭ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ୧୭ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ଜୁଲାଇ ୨୦ରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା ହେବ। ତେବେ ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ ହଜାର ୫୭୩ ଜଣ ଛାତ୍ରୀଛାତ୍ରଙ୍କୁ ନାମଲେଖା ଲାଗି ଚୟନ କରାଯାଇଥିଲା। ସେଥିମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୧୯ ହଜାର ୧୦ଜଣଙ୍କୁ ନାମଲେଖା ପାଇଁ ଡକାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୩ ହଜାର ୮୪ଜଣ ନାମ ଲେଖାଇଛନ୍ତି। ବିଜ୍ଞାନ ବିଭାଗରେ ୮୧ ହଜାର ୧୯୭ ଜଣଙ୍କ ମଧ୍ୟରୁ ୭୫ ହଜାର ୨୫୮, ବାଣିଜ୍ୟ ବିଭାଗରେ ୨୨ ହଜାର ୩୭୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦ ହଜାର ୬୧୭, ସଂସ୍କୃତରେ ୬ ହଜାର ୩୧୯ଜଣଙ୍କ ମଧ୍ୟରୁ ୫ ହଜାର ୨୯୯ ଓ ଧନ୍ଦାମୂଳକରେ ଡକାଯାଇଥିବା ୪ ହଜାର ୬୯୦ ଜଣଙ୍କ ମଧ୍ୟରୁ ୪ହଜାର ୩୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ରାଜ୍ୟର ୧୯୮୪ କଲେଜର ୫ଟି ବିଭାଗରେ ମୋଟ ୪ ଲକ୍ଷ ୪୮ ହଜାର ୧୯୫ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୨ଲକ୍ଷ ୯୮ ହଜାର ୨୯୩ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୪୯ ହଜାର ୯୦୨ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି।

Share