ଯୁକ୍ତ୨ ନାମଲେଖା ଆରମ୍ଭ: ୨୯ରେ ପ୍ରଥମବର୍ଷ ପାଠ ପଢ଼ା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଯୁକ୍ତ୨ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଛି। ଏଥର ଯୁକ୍ତ୨ ପ୍ରଥମବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ପ୍ରଥମ କଟ୍‌ ଅଫ୍‌ରେ ମନୋନୀତ ଛାତ୍ରୀଛାତ୍ରଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ୬ ତାରିଖ ଯାଏ ଚାଲିବ। ଆସନ୍ତା ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ସିଟ୍‌ ବଳକା ପଡ଼ିଲେ ସ୍ପଟ୍‌ ଆଡ଼ମିଶନ୍‌ କରାଯିବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ।
ତେବେ ପ୍ରଥମ ଦିନରେ ନାମଲେଖାରେ ଅବ୍ୟବସ୍ଥା ଦେଖାଦେଇଛି। ଛାତ୍ରୀଛାତ୍ରମାନେ ଇଣ୍ଟିମେଶନ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ସମୟ ଧରି ଛାତ୍ରୀଛାତ୍ର ଓ ଅଭିଭାବକ ଏନେଇ ଅପେକ୍ଷା କରି ରହିଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ବିନା ଇଣ୍ଟିମେଶନରେ ବି ଆବେଦନପତ୍ରର ନମ୍ବର ଅନୁସାରେ ବିଜେବି କଲେଜରେ ଆଡ଼ମିଶନ ହେଉଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେହିଭଳି ସିବିଏସ୍‌ଇ ଓ ଆଇସିଏସ୍‌ଇ ଛାତ୍ରୀଛାତ୍ରଙ୍କ ଆଡମିଶନ୍‌ରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଆଡ଼ମିଶନ୍‌ ପାଇଁ ଆବଶ୍ୟକ ପଡ଼ୁଥିବା ଆଫିଡେଭିଟ୍‌ ହୋଇପାରୁନି ବୋଲି ଛାତ୍ରୀଛାତ୍ରମାନେ କହିିଛନ୍ତି।

Share