Categories: ରାଜ୍ୟ

ଯୁକ୍ତ୨ ନାମଲେଖା: ୬ରୁ ଆବେଦନ

ଭୁବନେଶ୍ୱର, ୨ା୬(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ତାରିଖ ଦିନ ପୂର୍ବାହ୍ନ ୧୧ଟାରୁ ‘www.samodisha.gov.in’ ୱେବ୍‌ସାଇଟରେ କମନ୍‌ ଆପ୍ଲିକେଶନ ଫର୍ମ (ସିଏଏଫ୍‌) ଉପଲବ୍ଧ ହେବ। ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସିଏଏଫ୍‌ର ପ୍ରିଣ୍ଟ୍‌ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍‌ସ ରିସୋର୍ସ ସେଣ୍ଟର(ଏସଆରସି)ରେ ଦାଖଲ କରିବେ। ଛାତ୍ରୀଛାତ୍ରମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ। ଅଫ୍‌ଲାଇନରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ। ଫର୍ମପୂରଣ କରିବା ପୂର୍ବରୁ ଛାତ୍ରୀଛାତ୍ରମାନେ ସିଏଏଫ୍‌କୁ ଭଲ ଭାବେ ପଢ଼ିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସେହିଭଳି ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ଅନ୍‌ଲାଇନରେ ପ୍ରକାଶ କରାଯିବ। ଜୁଲାଇ ୮ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ଏଥିରେ ବିବେଚିତ ହୋଇଥିବା ଛାତ୍ରୀଛାତ୍ରମାନେ ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖାଇବେ। ୧୨ ତାରିଖ ସା ୫ଟା ସୁଦ୍ଧା ନାମଲେଖା ସମ୍ପର୍କିତ ତଥ୍ୟ ଅନ୍‌ଲାଇନରେ ଉପଲବ୍ଧ ହେବ। ଜୁଲାଇ ୧୬ରେ ବଳକା ସିଟ୍‌ ତାଲିକା ପ୍ରକାଶ କରାଯିବ। ୧୮ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସ୍ପଟ୍‌ ନାମଲେଖା ଲାଗି ଛାତ୍ରୀଛାତ୍ରମାନେ ନାମ ପଞ୍ଜୀକରଣ କରିପାରିବେ। ସେହିଦିନ ସନ୍ଧ୍ୟା ୫ଟାରେ ବିବେଚିତ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇବ। ଜୁଲାଇ ୨୦ରୁ ୨୨ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share