ଯୁକ୍ତ୨ ପରୀକ୍ଷା ଆରମ୍ଭ: କପି କରି ଧରାପଡ଼ିଲେ ୧୧ ବିଜ୍ଞାନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରୀଛାତ୍ର ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଛନ୍ତି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିଥିଲା। ୯୭ ହଜାର ୫୪୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୧ଜଣ କପି କରି ଧରାପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରାଜ୍ୟର ୨୦୨ଟି ହବ୍‌ରେ ପ୍ରଶ୍ନପତ୍ର ରଖାଯାଇଥିଲା। ମଙ୍ଗଳବାର ସାଢ଼େ ୯ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ଥିଲା। ୧୦ଟାରେ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା। ଏବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବାବେଳେ କପି ଓ ନକଲି ପରୀକ୍ଷାର୍ଥୀଙ୍କୁ ରୋକିବାକୁ ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ଦୁଇ ଥର ଯାଞ୍ଚ କରାଯାଇଛି। ପ୍ରଥମେ ଛାତ୍ରୀଛାତ୍ରଙ୍କ ପରିଚୟପତ୍ର ଓ ପରେ କପି ଯାଞ୍ଚ କରାଯାଇଛି। ବୁଧବାରଠାରୁ ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। କଳାରେ ମୋଟ ୨ଲକ୍ଷ ୨୦ହଜାର ୪୩୭ ଜଣ ଏବଂ ବାଣିଜ୍ୟରେ ୨୫ ହଜାର ୭୮୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

Share