ପାଟଣା,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ବିଜ୍ଞାନର ୫ ପରୀକ୍ଷାର୍ଥୀ ବୁଧବାର ପୂର୍ବାହ୍ନରୁ ଧାରଣାରେ ବସିଛନ୍ତି।
ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱରଙ୍କ ଦାରା ପରିଚାଳିତ ଯୁକ୍ତ ୨ବିଜ୍ଞାନ ଦ୍ୱିତୀୟ ବର୍ଷର ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଚାଲିଥିବା ବେଳେ ଜାନୁୟାରୀ ୨୮ ରେ ଜୁଲୋଜି ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ୫ମିନିଟ୍ ବିଳମ୍ବରେ ପହଞ୍ଚି ଥିବାରୁ ପରୀକ୍ଷା ପରିଚାଳନା କରୁଥିବା ଜୁଲୋଜି ଅଧ୍ୟାପକ ରତ୍ନାକର ମହାକୁଡ଼ ସେମାନଙ୍କୁ କୁଆଡ଼େ ପରୀକ୍ଷା ହଲରେ ପୂରାଇ ଦେଇ ନ ଥିବା ଅଭିଯୋଗ କରି ଛାତ୍ରୀଛାତ୍ର ଧାରଣାରେ ବସିଛନ୍ତି। ଏଥିନେଇ ସେମାନେ ଉପଜିଲାପାଳଙ୍କୁ ଅବଗତ କରାଇଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋସ୍ନା ମଞ୍ଜରୀ ତ୍ରିପାଠୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସମ୍ପୃକ୍ତ ଅଧ୍ୟାପକଙ୍କୁ ସେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିପରି ଅଧ୍ୟାପକ ମହାକୁଡ଼ଙ୍କୁ ଏନେଇ ପଚାରିବାରୁ ସେ ଏସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଧାରଣାରେ ବସିଥିବା ଛାତ୍ରୀଛାତ୍ର ସେମାନଙ୍କୁ ପରୀକ୍ଷା ଦେବାର ବ୍ୟବସ୍ଥା ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, କେନ୍ଦୁଝର