Categories: ଗଞ୍ଜାମ

ଯୁକ୍ତ ୨ ନାମଲେଖା : ପ୍ରକାଶ ପାଇଲା ଦ୍ୱିତୀୟ ମେଧା ତାଲିକା

ବ୍ରହ୍ମପୁର ଅଫିସ୍‌,୧୪ା୭-ଯୁକ୍ତ ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। କଟ୍‌ଅଫ୍‌ ଉଭୟ ବିଜ୍ଞାନ ଏବଂ ବାଣିଜ୍ୟ ବିଷୟରେ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଜିଲାରେ ଟପ୍‌ରେ ରହିଛି । ଏଠାରେ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ୮୭.୧୭ପ୍ରତିଶତ ଏବଂ ବାଣିଜ୍ୟରେ କଟ୍‌ ଅଫ୍‌ ମାର୍କ ୬୫.୧୭ପ୍ରତିଶତ ରହିଛି । ସେହିଭଳି କଳାରେ ଟପ୍‌ରେ ରହିଛି ବ୍ରହ୍ମପୁର ଶଶୀ ଭୂଷଣ ରଥ ମହିଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏଠାରେ କଳାରେ କଟ୍‌ ଅଫ୍‌ ମାର୍କ ରହିଛି ୫୮.୫୦ ପ୍ରତିଶତ ।
ତେବେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ଭିତରେ ବିଶେଷ ଫରକ୍‌ ଦେଖିବାକୁ ମିଳିନି। ମାତ୍ର ତିନିରୁ ପାଞ୍ଚ ପ୍ରତିଶତ ଭିତରେ ହିଁ ଫରକ୍‌ ରହିଛି ।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ମଧ୍ୟ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ବିଜ୍ଞାନ ଏବଂ କଳା ବିଷୟରେ ଶଶୀ ଭୂଷଣ ରଥ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିଲାରେ ସର୍ବାଧିକ କଟ୍‌ ଅଫ୍‌ ମାର୍କ ରଖିଥିଲା । ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣିଜ୍ୟରେ ସର୍ବାଧିକ କଟ୍‌ ଅଫ୍‌ ମାର୍କ ରଖିଥିଲେ ମଧ୍ୟ ମାତ୍ର ଜଣେ ଆବେଦନ କରିଥିଲେ ା ସେ ପରବର୍ତ୍ତୀ ସମୟରେ ନାମଲେଖାଇ ନ ଥିବା ଯୋଗୁ ସିଟ୍‌ ଖାଲି ପଡ଼ିଛି । କେହି ଜଣେ ମଧ୍ୟ ନାମଲେଖାଇ ନାହାନ୍ତି । ତେବେ କେତେକ କଲେଜରେ କେହି ଆବେଦନକାରୀ ନ ଥିବା ଯୋଗୁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇନାହିଁ । ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଏବଂ ବାଣିଜ୍ୟରେ କେହି ଆବେଦନକାରୀ ନ ଥିବା ଯୋଗୁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇନାହିଁ। ବ୍ରହ୍ମପୁର ମହାମାୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରୀଛାତ୍ରମାନେ ୧୫ରୁ ୧୭ତାରିଖ ମଧ୍ୟରେ ନାମ ଲେଖାଇବେ ।
ବର୍ଷ ଗଞ୍ଜାମ ଜିଲାର ୧୩୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୪୨ହଜାର ୬୯୦ ସିଟ୍‌ ପାଇଁ ନାମ ଲେଖା ହେଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୬ହଜାର ୯୭୭ଜଣ ନାମ ଲେଖାଇଥିବା ବେଳେ ଆହୁରି ୧୫ହଜାର ୭୧୩ ସିଟ୍‌ ଖାଲି ପଡ଼ିଛି । କଳାରେ ୧୯ହଜାର ୭୭୭ ସିଟ୍‌ ଥିବା ବେଳେ ୧୬ହଜାର ୩୪୧ଜଣ ନାମ ଲେଖାଇଛନ୍ତି ।
୩ ହଜାର ୪୩୬ ସିଟ୍‌ ଖାଲି ପଡ଼ିଛି। ବିଜ୍ଞାନରେ ୧୬ହଜାର ୯୨୯ ସିଟ୍‌ ଥିବା ବେଳେ ୮,୨୧୭ଟି ସିଟ୍‌ ପୂରଣ ହୋଇଛି । ୮,୭୧୨ ସିଟ୍‌ ଖାଲି ପଡ଼ିଛି । ବାଣିଜ୍ୟରେ ୫, ୧୮୪ସିଟ୍‌ ରହିଛି । ସେଥିରୁ ୨ହଜାର ୯୨ ସିଟ୍‌ ପୂରଣ ହୋଇଥିବା ବେଳେ ୩୦୯୨ ସିଟ୍‌ ଖାଲି ପଡ଼ିଛି । ସଂସ୍କୃତରେ ୩୨୦ ସିଟ୍‌ ଥିବା ବେଳେ ୧୬୭ ପୂରଣ ହୋଇଛି। ୧୫୩ ସିଟ୍‌ ଖାଲିପଡ଼ିଛି। ଧନ୍ଦାମୂଳକ ଶିକ୍ଷାରେ ୪୮୦ ସିଟ୍‌ ରହିଛି ।
ସେଥିରୁ ୧୬୦ ପୂରଣ ହୋଇଥିବା ବେଳେ ୩୨୦ ସିଟ୍‌ ଖାଲିପଡ଼ିଛି ।