ଯୁକ୍ତ ୨ ବିଜ୍ଞାନ ଟପ୍ପର ଶର୍ମିଷ୍ଠାଙ୍କ ପଢ଼ା ଖର୍ଚ୍ଚ ବହନ କରିବ ବିଏସ୍‌ଇଟି

ଭଦ୍ରକ ଅଫିସ, ୮।୬ : ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ସାମଲ ୫୨୫ ନମ୍ବର ରଖି ମହାବିଦ୍ୟାଳୟ ସମେତ ଜିଲା ଟପ୍ପର ହୋଇଛନ୍ତି। ଶନିବାର ନୂଆବଜାରସ୍ଥିତ ବିଏସ୍‌ଇଟି(ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ସୋସାଇଟି କାର୍ଯ୍ୟାଳୟରେ ଶର୍ମିଷ୍ଠାଙ୍କୁ ପୁଷ୍ପୁଗଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟଅତିଥି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବିଏସ୍‌ଇଟି ସୋସାଇଟି ସଭାପତି ପ୍ରୟାସକାନ୍ତି ସାମଲ, ଜିଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଗରିବ ମେଧାବୀ ଛାତ୍ରୀ ଶର୍ମିଷ୍ଠାଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ସୋସାଇଟି ବହନ କରିବ ବୋଲି ଘୋଷଣା କରାଯାଇଛି। ଏଥିସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି। ଶର୍ମିଷ୍ଠାଙ୍କ ଘର ଚାନ୍ଦବାଲି ବ୍ଲକର ମତୋ ମାଳବାଡ଼ ଗ୍ରାମରେ। ତାଙ୍କ ବାପା ରତିକାନ୍ତ ଜଣେ ଶ୍ରମିକ ଓ ମା’ ଅନିତା ଗୃହିଣୀ। ଆଗକୁ ବିଏସ୍‌ସି ପଢ଼ି ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ଶର୍ମିଷ୍ଠା କହିଛନ୍ତି।