ଯୁକ୍ତ ୩ ନାମଲେଖା: ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍‌ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ କଟଅଫ୍‌ ମାର୍କରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ କଟଅଫରେ ବିଜେବି କଲେଜରେ ବିଜ୍ଞାନ ସମ୍ମାନ (ଗଣିତ) ସର୍ବାଧିକ ୯୩.୫%, ଜୁଲୋଜିରେ ସର୍ବାଧିକ ୯୧.୫%, ଫିଜିକ୍ସରେ ସର୍ବାଧିକ ୯୨.୬୭%, କେମିଷ୍ଟ୍ରିରେ ସର୍ବାଧିକ ୯୦.୮% କଟ୍‌ ଅଫ୍‌ ରହିଛି। ସେହିପରି ବିଜେବି କଲେଜରେ ବାଣିଜ୍ୟ ସମ୍ମାନରେ ସର୍ବାଧିକ ୮୫.୮୩%, କଳା ସମ୍ମାନ (ଭୁଗୋଳ) ସର୍ବାଧିକ ୮୯%, ବିଜେବି କଲେଜରେ କଳା ସମ୍ମାନ (ଅର୍ଥନୀତି) ୮୫%, ବିଜେବି କଲେଜରେ କଳା ସମ୍ମାନ (ଇଂରାଜୀ) ୮୩.୬୭% କଟ୍‌ ଅଫ୍‌ ରହିଛି। ମନୋନୀତ ଛାତ୍ରୀଛାତ୍ରମାନେ ୧୯ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇବେ। ୧୯ରୁ ୨୪ତାରିଖ ମଧ୍ୟରେ ଆନେକ୍ସର-୭ ଅନ୍‌ଲାଇନ୍‌ରେ ଡିପୋଜିଟ୍‌ କରିବେ। ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ପ୍ରକାଶ ପାଇବ। ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ (କଟ୍‌ ଅଫ୍‌ ମାର୍କ) ପ୍ରକାଶ ପାଇବ। ଅଗଷ୍ଟ ୧୨ରେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ପ୍ରକାଶ ପାଇବ। ଅଗଷ୍ଟ ୨୪ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ଗତ ଜୁନ୍‌ ୨୪ରୁ ଜୁଲାଇ ୮ ମଧ୍ୟରେ ଯୁକ୍ତ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଛାତ୍ରୀଛାତ୍ରମାନେ ଆବେଦନ କରିଥିଲେ। ରାଜ୍ୟରେ ୧୦୪୭ ଡିଗ୍ରୀ କଲେଜରେ ନାମଲେଖା ପାଇଁ ଚଳିତବର୍ଷ ୨,୧୬, ୫୩୪ଜଣ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨,୧୪,୮୭୩ଜଣ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ଫି’ ଡିପୋଜିଟ୍‌ କରିଛନ୍ତି।

Share