ଡ.ସତ୍ୟନାରାୟଣ ମିଶ୍ର
ଯୁଦ୍ଧର ସୃଷ୍ଟି ଦ୍ୱନ୍ଦ୍ୱରୁ ହୋଇଥାଏ ଓ ଦ୍ୱନ୍ଦ୍ୱ ମଣିଷ ଭିତରେ ଥିବା ଅହଙ୍କାର, ଈର୍ଷା, ଅସହିଷ୍ଣୁତା,ଗର୍ବ ଆଦି ହୀନମନ୍ୟତାରୁ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ଯୁଦ୍ଧରେ ଥାଏ ପକ୍ଷ ଓ ବିପକ୍ଷ ଏବଂ ପରିଣାମ ହୋଇଥାଏ କୌଣସି ଏକ ପକ୍ଷର ଜୟ ଓ ଅନ୍ୟପକ୍ଷର ପରାଜୟ। ତେବେ ଫଳାଫଳକୁ ବିଶ୍ଳେଷଣ କଲେ ଜଣାଯାଏ ପ୍ରତ୍ୟେକ ଯୁଦ୍ଧର ପରିଣାମ ହୋଇଥାଏ ଧଂସ ଓ କ୍ଷତି, ହରେଇବା ଓ ଅନୁଶୋଚନା, ଆତଙ୍କ ଓ ନିଷ୍ଠୁରତା ଇତ୍ୟାଦି। ମାତ୍ର ଯୁଦ୍ଧ କେତେବେଳେ ଥାଏ ଅସ୍ତ୍ରଶସ୍ତ୍ରର ସାହଚର୍ଯ୍ୟରେ ଆଉ କେତେବେଳେ ହୋଇଥାଏ ବିତର୍କର ମୁହାଁମୁହିଁ ଆରୋପ ଓ ପ୍ରତ୍ୟାରୋପରେ। ଯେତେବେଳେ କୌଣସି ବିଷୟବସ୍ତୁ ବା ଶୀର୍ଷକକୁ ନେଇ ବିତର୍କର ତର୍କ ହୋଇଥାଏ, ସେତେବେଳେ ତାହା ଥାଏ ବାକଯୁଦ୍ଧ ବା ମତପାର୍ଥକ୍ୟର ଯୁଦ୍ଧ; ଯେଉଁଥିରେ ଥାଏ ଶାଳୀନତା ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ। ଏଥିରେ କାହାର କ୍ଷତି ହୋଇ ନ ଥାଏ ବରଂ ବ୍ୟକ୍ତି ବା ସମାଜର ଲାଭ ହୋଇଥାଏ ଏକ ନିଷ୍କର୍ଷରେ ଉପନୀତ ହେବା ପାଇଁ। କିନ୍ତୁ ଯୁଦ୍ଧ ଯେତେବେଳେ ବାହୁବଳ, ଶକ୍ତିବଳ, ଧନବଳର ପ୍ରତିଯୋଗିତା ବା ଆକ୍ରମଣ ହୋଇଥାଏ, ସେତେବେଳେ ସେଥିରେ ଥାଏ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଓ ପରିଣାମ ହୋଇଥାଏ ବିନାଶ। ବର୍ତ୍ତମାନର ସମାଜରେ ଯୁଦ୍ଧ ଏକ ଆଡମ୍ବର ଉପାଦାନ ହୋଇ ସମାଜ ଦେଶ ଗୋଷ୍ଠୀ ଜାତି ମଧ୍ୟରେ ଏକ ପ୍ରାଚୀର ସୃଷ୍ଟି କରୁଛି। ଯୁଦ୍ଧ କେବେ ଭଲ ନୁହେଁ, ଶାନ୍ତି କଦାପି ଖରାପ ନୁହେଁ। ଯୁଦ୍ଧର ଲୋମହର୍ଷଣକାରୀ ଭୟାବହତା ଏତେ ପରିମାଣର ଯେ ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଯୁଦ୍ଧ ହେଉଛି ସମସ୍ତ ମାନବିକତା ଓ ମାନବ ସଭ୍ୟତାର ଶତ୍ରୁ। ଏହା କେବଳ ଦେଶର ବିକାଶରେ ବାଧା ସୃଷ୍ଟି କରେ ନାହିଁ ବରଂ ସାମାଜିକ ଏକତାକୁ ଉଚ୍ଛେଦ କରିଥାଏ। ଏହା ମାନବଜାତିର ପ୍ରଗତିର ଗତି ମନ୍ଥର କରିଦିଏ। ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ। ଏହା ସମସ୍ୟା ଓ ରାଷ୍ଟ୍ରମାନଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିଥାଏ। ଯୁଦ୍ଧ ଗୋଟିଏ ପ୍ରସଙ୍ଗ ସ୍ଥିର କରିପାରିଲେ ଅନେକ ଅହେତୁକ ପ୍ରସଙ୍ଗ ଜନ୍ମ ଦିଏ। ଯୁଦ୍ଧ ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇଥାଏ କିନ୍ତୁ ବର୍ତ୍ତମାନ ଏହା ସମସ୍ତ ମାନବ ଶକ୍ତିର ନିୟନ୍ତ୍ରଣ ବାହାରେ। ବର୍ତ୍ତମାନ ସମଗ୍ର ମାନବ ଜାତିର ମାନବିକତା ପାଇଁ ଏହା ଉପରେ ଚିନ୍ତା କରିବା ପାଇଁ ପୁନଃ ଅନୁସନ୍ଧାନ ଆବଶ୍ୟକ କରେ, ନଚେତ ମାନବିକତା ରହିବ ନାହିଁ। ଆଧୁନିକ ଯୁଗରେ ସମାଜର ସବୁଠାରୁ ବଡ଼ ବିନାଶକାରୀ କାର୍ଯ୍ୟ ହେଉଛି ଯୁଦ୍ଧ। କିଏ ଯୁଦ୍ଧରେ ଜିତେ ନା କାହିଁକି, ମାନବଜାତି ପ୍ରତ୍ୟେକ କ୍ଷେତ୍ରରେ ହାରିଯାଏ, ମାନବିକ ମୂଲ୍ୟବୋଧର ଅବକ୍ଷୟ ହୋଇଥାଏ।
ଏକ ରାଷ୍ଟ୍ରର ସୁରକ୍ଷା, ସାର୍ବଭୌମତ୍ୱ ଆଦି ପାଇଁ ସାଧାରଣତଃ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହୁଏ। ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଏହା ବିପଜ୍ଜନକ ଆଚରଣ, ଯାହା ଦ୍ୱାରା ଲକ୍ଷ ଲକ୍ଷ ଅମୂଲ୍ୟ ନିରୀହ ଜୀବନ ନଷ୍ଟ ହୋଇଯାଏ ଓ ଏହାର ବିପଜ୍ଜନକ ପ୍ରଭାବ ହେଉଛି ଏହା ଭବିଷ୍ୟତ ପିଢ଼ିକୁ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ସାଂପ୍ରତିକ ସମୟରେ ଅନେକ ଯୁଦ୍ଧ ଦେଶ ଦେଶ ମଧ୍ୟରେ ହେଉଛି ଓ ଦେଶର ମୁଖ୍ୟ କେବଳ ନିର୍ଦ୍ଦେଶ ଦେଉଥିବା ବେଳେ ପ୍ରକୃତ ଯୁଦ୍ଧ କରୁଛନ୍ତି ଦେଶର ସୈନ୍ୟମାନେ, ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ସୈନ୍ୟମାନେ ଓ ମୃତ୍ୟୁମୁଖରେ ପଡ଼ନ୍ତି ସୈନ୍ୟମାନେ। କିନ୍ତୁ ଯିଏ ଯୁଦ୍ଧ ନିର୍ଦ୍ଦେଶ ଦେଇଥାନ୍ତି ସେ କେବେ ଅସ୍ତ୍ର ଧରି ନ ଥା’ନ୍ତି ମାତ୍ର ଯୁଦ୍ଧ କରିଥାନ୍ତି ଏକ ନିର୍ଦ୍ଦିଷ୍ଟ ସ୍ବାର୍ଥର ପ୍ରଚ୍ଛନ୍ନ ଅଭିସନ୍ଧି ପାଇଁ। ଭାରତର ମହାଭାରତ ଯୁଦ୍ଧ ଥିଲା ଦେଶ ଦେଶ ମଧ୍ୟରେ ନୁହେଁ ବରଂ ଏକ ପାରିବାରିକ ଯୁଦ୍ଧ, ଯାହା ସମୟକ୍ରମେ ରୂପାନ୍ତରିତ ହୋଇ ସୃଷ୍ଟି ହେଲା ଦୁଇଟି ରାଷ୍ଟ୍ରର ଯୁଦ୍ଧ ତାହା ପୁଣି ହସ୍ତିନାପୁରର ସିଂହାସନ ପାଇଁ। ଦିନେ ଯେଉଁ ହସ୍ତିନାପୁରରେ କୌରବ ଓ ପାଣ୍ଡବ ଏକତ୍ରିତ ହୋଇ ଜୀବନ ଅତିବାହିତ କରୁଥିଲେ ସେହି ହସ୍ତିନାପୁର ପାଇଁ ସୃଷ୍ଟି ହେଲା ଅନ୍ୟ ଏକ ରାଜ୍ୟ ଇନ୍ଦ୍ରପ୍ରସ୍ଥ ଓ କୁରୁକ୍ଷେତ୍ର ଯୁଦ୍ଧର ସୃଷ୍ଟି ହେଲା କେବଳ କିଛି ପାଇବା ପାଇଁ। ଯୁଦ୍ଧର ନିୟନ୍ତ୍ରକ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ‘ଯୁଦ୍ଧ ମୁଁ କରିଛି ହେଲେ ଅସ୍ତ୍ର ଧରି ନାହିଁ ’। ବାସ୍ତବିକ ଶ୍ରୀକୃଷ୍ଣଙ୍କର ଉକ୍ତ ଘୋଷଣା ସଂପୂର୍ଣ୍ଣ ସତ୍ୟ ଯେ ସେ ଯୁଦ୍ଧ କ୍ଷେତ୍ରରେ ଥିଲେ, ଯୁଦ୍ଧ ଏଡ଼ାଇବା ପାଇଁ ପ୍ରୟାସ କରିଥିଲେ। ମାତ୍ର କୌଣସି ଅସ୍ତ୍ର ଧରି ନ ଥିଲେ ବରଂ ଏକ ସେବକ ହିସାବରେ ନିଜର କର୍ତ୍ତବ୍ୟ ପାଳନ କରୁଥିଲେ। କିନ୍ତୁ ପରୋକ୍ଷରେ ସେ ଯୁଦ୍ଧକୁ ନିୟନ୍ତ୍ରଣ କରୁଥିଲେ ଓ ଉଦ୍ଦେଶ୍ୟ ଥିଲା ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ଅହଙ୍କାର ଆଦିର ପରାଜୟ କରି ଧର୍ମ ଓ ନୈତିକତାର ପ୍ଲାବନ ସୃଷ୍ଟି କରିବା ପାଇଁ, ଯାହାଥିଲା ଏକ ମହତ୍ ଉଦ୍ଦେଶ୍ୟ। ଏଠାରେ ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ନିଜକୁ ସମସ୍ତଙ୍କର ମଙ୍ଗଳ କାମନା କରି ପରିବର୍ତ୍ତନ ହେବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ।
ମାତ୍ର ଏକବିଂଶ ଶତାବ୍ଦୀର ଯୁଦ୍ଧ ନିୟନ୍ତ୍ରକମାନେ ଅସ୍ତ୍ର ସ୍ପର୍ଶ କରୁ ନାହାନ୍ତି ନିରାଟ ସତ୍ୟ, ହେଲେ କେବଳ ନିର୍ଦ୍ଦେଶ ଦେଇ ନିରୀହ ମଣିଷମାନଙ୍କର ପ୍ରାଣ ଉଜାଡୁଛନ୍ତି କେବଳ ନିଜର ସ୍ପର୍ଦ୍ଧା ଓ ଆଭିଜାତ୍ୟକୁ ଚରିତାର୍ଥ କରିବା ପାଇଁ। ଏଥିରେ ଅନ୍ୟର କ୍ଷତି ସୃଷ୍ଟି ହେଉଛି। ବର୍ତ୍ତମାନ ସମାଜରେ ନିର୍ବାଚନୀ ଯୁଦ୍ଧରେ ଯେଉଁମାନେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି ସେମାନେ ଯୁଦ୍ଧ କରନ୍ତି ହେଲେ ଅସ୍ତ୍ର ଧରି ନ ଥାନ୍ତି। କିନ୍ତୁ ନିର୍ବାଚନ ଯୁଦ୍ଧରେ ଶହ ଶହ ନିରୀହ ମଣିଷ ହିଂସାରେ ନିହତ ହେଉଛନ୍ତି। ଆକ୍ରୋଶ, ବିବାଦ, ସ୍ବାର୍ଥ ରକ୍ଷା ଆଦି କାରଣ ପାଇଁ ଯୁଦ୍ଧ ନିର୍ଦ୍ଦେଶ ହୋଇଥାଏ, ହେଲେ ଯୁଦ୍ଧ ଘୋଷଣା କରିଥିବା ବ୍ୟକ୍ତି କେବେ ଅସ୍ତ୍ର ବ୍ୟବହାର କରି ନ ଥାଏ, ଯାହାର ପ୍ରଚ୍ଛନ୍ନ ଛଳନାର ଛାୟା ଯୁଦ୍ଧ ଗୋଟିଏ ନିହିତ ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିଥାଏ। ଦେଶ ଦେଶ ମଧ୍ୟରେ ଦିନ ଦିନ ଧରି ଯେଉଁ ଯୁଦ୍ଧ ସଂଘଟିତ ହେଉଛି ସେଥିରେ ଦେଶର ସମ୍ବଳ, ପରିବେଶ, ଧନ ଜୀବନ ଆଦି ନଷ୍ଟ ହେଉଛି ଏବଂ ଉଦ୍ଦେଶ୍ୟ ଥାଏ କେବଳ ବଶ୍ୟତା ସ୍ବୀକାର କରିବା ଓ ଅନ୍ୟ ଦେଶର ପ୍ରତିଷ୍ଠାକୁ କ୍ଷୁଣ୍ଣ କରିବା ତଥା ସୀମା ବିବାଦକୁ ପରାହତ କରି ଦେଶକୁ ଦଖଲ କରିବା, ଯାହା ଥାଏ କେବଳ ପାର୍ଥିବ ଆଶା। ମାତ୍ର ଶ୍ରୀକୃଷ୍ଣଙ୍କର ଯୁଦ୍ଧ କରିବାର ଅଭିପ୍ରାୟ ଥିଲା ଭିନ୍ନ ଓ ତାହା ମଣିଷ ସମାଜକୁ ଶିକ୍ଷା ଦେବା ପାଇଁ ଏକ ଦୃଷ୍ଟାନ୍ତ ଥିଲା, ଯାହା ଆଜି ମଣିଷ ଜାଣି ଅଜଣା ହୋଇ ଛଳନାକୁ ଆଲିଙ୍ଗନ କରି କେବଳ ନିଜର କ୍ଷତି କରି ଚାଲିଛି। ନିଜର ପରାକ୍ରମକୁ ସାବ୍ୟସ୍ତ କରିବା ପାଇଁ ଅନେକ ସାଧାରଣ ଜୀବନ କ୍ଷତି ହେଉଛି। ହେଲେ ଫଳ କ’ଣ ମିଳୁଛି ତାହା ମହାଭାରତ ଯୁଦ୍ଧରୁ ଶିକ୍ଷା ମିଳିବା କଥା। ଅତଏବ ବର୍ତ୍ତମାନ ସମାଜରେ ଯୁଦ୍ଧକୁ ନିର୍ଦ୍ଦେଶ ଦେଉଥିବା ନିୟନ୍ତ୍ରକ ନିଜକୁ ପ୍ରଶ୍ନ କରିବା ଉଚିତ ଯେ ଏ ଯୁଦ୍ଧର ପରିଣାମ ଓ ଉଦ୍ଦେଶ୍ୟ କାହା ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। ତେଣୁ ମହାଭାରତରେ ଶ୍ରୀକୃଷ୍ଣ ଯେଉଁ ଉଦ୍ଦେଶ୍ୟରେ ଘୋଷଣା କରିଥିଲେ ଯେ ଯୁଦ୍ଧ ମୁଁ କରିଛି ହେଲେ ଧରି ନାହିଁ ଅସ୍ତ୍ରର ତାତ୍ପର୍ଯ୍ୟକୁ ବର୍ତ୍ତମାନ ସମାଜ ଗଭୀର ଭାବେ ଅନୁଶୀଳନ କରିବା ଉଚିତ ଯେ ଯୁଦ୍ଧର ଅଭିପ୍ରାୟ କେଉଁ ଉଦ୍ଦେଶ୍ୟରେ ଓ କାହା ସ୍ବାର୍ଥରେ।
ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ଏମ-୭୯, ମଧୁସୂଦନ ନଗର , ଭୁବନେଶର
ମୋ:୯୯୩୭୩୪୫୯୦୦