Categories: ଜାତୀୟ

ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା

ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍‌ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ ଏ ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ବୋଲି ଉଚ୍ଚସ୍ତରୀୟ ସାମରିକ ସୂତ୍ରରୁ ଜଣାପଡିଛି। ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନକୁ ଦଣ୍ଡ ଦେବା ପାଇଁ ବିମାନ ଆକ୍ରମଣ ସମେତ ବିଭିନ୍ନ ବିକଳ୍ପ ସମ୍ପର୍କରେ ଚିନ୍ତା କରାଯାଇଥିଲା। ବାଲାକୋଟ ପରେ ପାକିସ୍ତାନ କୌଣସି ପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲେ ତାହାର ଠିକଣା ଜବାବ ଦିଆଯାଇଥାନ୍ତା। ଅର୍ଥାତ୍‌ ପାକିସ୍ତାନରେ ପଶି ଯୁଦ୍ଧ କରିବାକୁ ସେନା ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା ବୋଲି ସୋମବାର ଅବସରପ୍ରାପ୍ତ ସେନାଧିକାରୀମାନଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକରେ ଜେନେରାଲ ରାଓ୍ବତ କହିଛନ୍ତି।
୨୦୧୬ ସେପ୍ଟେମ୍ବରରେ ଉରିରେ ଆତଙ୍କବାଦୀ ଆକ୍ରମଣ ପରେ ୧୧୦୦୦ କୋଟି ଟଙ୍କାର ଗୁଳିଗୋଳା କିଣିବା ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ବାଲାକୋଟ ଏୟାରଷ୍ଟ୍ରାଇକ୍‌ ବେଳକୁ ୯୫ ପ୍ରତିଶତ ଗୁଳିଗୋଳା ସେନାକୁ ମିଳିସାରିଥିଲା। ଏହାବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୭୦୦୦ କୋଟି ଟଙ୍କାରେ ୩୩ଟି ଚୁକ୍ତିନାମା ଚୂଡାନ୍ତ ହୋଇଥିବାବେଳେ ପରେ ଆଉ ୯୦୦୦ କୋଟି ଟଙ୍କାର ରାଜିନାମା ହୋଇଥିଲା। ଫେବୃୟାରୀ ୧୪ ପୁଲ୍‌ଓ୍ବାମା ଆକ୍ରମଣ ପରେ ୨୬ରେ ବାୟୁସେନା ପାକିସ୍ତାନ ଭିତରେ ପଶି ବାଲାକୋଟରେ ଥିବା ଜୈଶ୍‌-ଇ-ମହମ୍ମଦର ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲା। ଏହା ପରଦିନ ପାକିସ୍ତାନୀ ବାୟୁସେନା ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ଘାଟିଗୁଡିକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରି ନ ଥିଲା। ବାୟୁସେନାର ଲଢ଼ୁଆ ବିମାନ ପାକ୍‌ ବିମାନକୁ ତଡିଦେଇଥିଲା।

Share