ଯୁଦ୍ଧ ସଂଗ୍ରହାଳୟରେ ପାକିସ୍ତାନ ଲଗାଇଲା ଅଭିନନ୍ଦନଙ୍କ ପୁତ୍ତଳିକା

ଇସ୍‌ଲାମାବାଦ,୧୧।୧୧: ଗତ ଅଗଷ୍ଟରେ କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଉ ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ କୋର୍ଟ ଦେଇଥିବା ରାୟ ପରେ ପାକିସ୍ତାନ ପୁଣି ଥରେ ହଡବଡେଇ ଯାଇଛି। ଏବେ ସେ ତା’ର ଯୁଦ୍ଧ ସଂଗ୍ରହାଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଏକ ପୁତ୍ତଳିକା ଲଗାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଆକ୍ରମଣ କରଯାଇଥିଲା। ଏହି ସମୟରେ ଓ୍ବିଙ୍ଗ କମାଣ୍ଡର ବର୍ଥମାନ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬କୁ ଧ୍ୱଂସ କରିଦେଇଥଲେ। ସେ ବିମାନରୁ ସୁରକ୍ଷିତ ବାହାରିବା ସମୟରେ ପାକିସ୍ତାନ ଅଧିକୃତ କଶ୍ମୀରରେ ପ୍ରବେଶ କରି ଯାଇଥିଲେ। ଫଳରେ ପାକ୍‌ ସେନା ତାଙ୍କୁ କାବୁ କରି ନେଇଥିଲା। ଏହାପରେ ବିଭିନ୍ନ ଆଲୋଚନା ପରେ ସେ ବର୍ଥମାନଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା। ତେବେ ପାକିସ୍ତାନ ସେନା ନିକଟରେ ଥିବା ବେଳେ ଅଭିନନ୍ଦନଙ୍କ ଏକ ଚା’ ପିଇବାର ଫଟୋ ଭାଇରାଲ ହୋଇଥିଲା। ଆଉ ଏବେ ଠିକ୍‌ ସେହି ଢଙ୍ଗରେ ପାକିସ୍ତାନ ତା’ର ଯୁଦ୍ଧ ସଂଗ୍ରହାଳୟରେ ଅଭିନନ୍ଦନଙ୍କ ଏକ ପୁତ୍ତଳିକା ଲଗାଇଥିବା ଖବର ମିଳିଛି। ଏହି ଫଟୋକୁ ଏବେ ପାକିସ୍ତାନର ଜଣେ ଖବରଦାତା ଟୁଇଟରରେ ଶେୟାର କରିବା ପରେ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଖବରଦାତା ଲେଖିଛନ୍ତି ଯଦି ଅଭିନନ୍ଦନଙ୍କ ହାତରେ ପୂର୍ବପରି ଏକ ଚା’ କପ୍‌ ଧରାଇ ଦିଆଯାଇଥାଆନ୍ତା ତେବେ ଆହୁରି ଭଲ ହୋଇଥାଆନ୍ତା।

Share