ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍ ଗୀତ। ୭ ହଜାରରୁ ଅଧିକ ନନ୍ଫିଲ୍ମ ଗୀତ ଲେଖିଛନ୍ତି। ଦେଢ଼ଶହରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ଗୀତିକାର ନିର୍ମଳଙ୍କ ଅନୁଭୂତିରୁ ଖିଏ…
ସଂସ୍କୃତିର ସହର କଟକକୁ ସଙ୍ଗୀତର ନିଶା ମୋତେ ଟାଣି ଆଣିଥିଲା। ପିଲାଦିନରୁ ବାଲିଯାତ୍ରା କଥା ଶୁଣିଥିଲି। କଟକ ଆସିଲା ପରେ ବାଲିଯାତ୍ରା ବୁଲିବାକୁ କେବେ ଭୁଲିନି। କାର୍ଯ୍ୟବ୍ୟସ୍ତତା ଭିତରେ ସବୁଦିନ ଯାଇ ନ ପାରିଲେ ବି ଯାତ୍ରାର ୪ ଦିନ ପଡ଼ିଆରେ ପାଦ ପଡ଼େ। ଅନେକ ଅଭୁଲା ସ୍ମୃତି ଏହି ସହର ଓ ତା’ର ପ୍ରସିଦ୍ଧ ଯାତ୍ରା ସହ ଜଡିତ। ଗୋଟିଏ ଘରୋଇ ଚ୍ୟାନେଲ ପାଇଁ ବାଲିଯାତ୍ରାରେ ଏକ କାର୍ଯ୍ୟକ୍ରମ କରୁଥିଲୁ। ସନ୍ଧ୍ୟା ସମୟ। ପଡ଼ିଆ ଭିତରକୁ ଯିବାବେଳକୁ ପ୍ରବଳ ଭିଡ଼। କିଛି ସମୟ ପରେ ପକେଟ୍ରେ ହାତ ମାରିବା ବେଳକୁ ମୋବାଇଲ ଗାୟବ। ମୋବାଇଲ ହଜି ଯିବା ଯୋଗୁଁ ଚିନ୍ତା ବଢ଼ି ଯାଇଥିଲା। କାର୍ଯ୍ୟକ୍ରମ କ’ଣ ହେବ ତାହା ଆଉ ମୁଣ୍ଡରେ ପଶୁ ନ ଥାଏ। କିଛି ସମୟ ପରେ ଷ୍ଟେଜ୍ ଉପରକୁ ଚଢ଼ିଲି। ଚେୟାରରେ ବସିଥିବାବେଳେ କେହି ଜଣେ ମୋ ପଛକୁ ଜୋରରେ ଚୁମୁଟି ଦେବା ଭଳି ଲାଗିଲା। ପଛକୁ ବୁଲିବା ବେଳକୁ ଜଣେ ଯୁବକ ସେଫ୍ଟିପିନ୍ ଧରି ଛିଡ଼ା ହୋଇଥିବା ଦେଖିଥିଲି। ସେ ଚିମୁଟି ନଥିଲେ, ସେହି ସେଫ୍ଟିପିନ୍ରେ ଫୋଡି ଦେଇଥିଲେ। ରାଗ ଲାଗିବା ସହ ଭାବିଲି ଯୁବକ ଜଣଙ୍କୁ ନଧୂର୍ର୍ମ ଗାଳି କରିବି। ହେଲେ ସେ ମୋର ଜଣେ ଫ୍ୟାନ୍ ଓ ମୋ ସହ କଥା ହେବାକୁ ଚାହାନ୍ତି ବୋଲି କହିଥିଲେ। ରାଗ ଲାଗୁଥିଲେ ବି ବାଧ୍ୟରେ ହସିହସି ତାଙ୍କ ସହ କଥା ହୋଇଥିଲି।
୧୯୯୯ ମସିହାରେ କଟକ ଆସିଲା ପରେ ପ୍ରତିବର୍ଷ ଅପେକ୍ଷା କରିଥାଏ କେବେ ବାଲିଯାତ୍ରା ଆସିବ। ଯେତେ ବୁଲିଲେ ବି ମନରେ ଆହୁରି ବୁଲିବାର ଅବଶୋସ ରହିଯାଏ। ଅନେକ ରକମର ଖାଦ୍ୟ ମିଳେ । ଦହିବରା ଖାଇବାକୁ ମୋତେ ଭାରି ଭଲ ଲାଗେ। ବାଲିଯାତ୍ରା ବୁଲିବା ନିଶାରେ ଭିଡ଼ ଆଉ ଧୂଳି କଥା ମନରୁ ଚାଲିଯାଏ। ଏବେ ରାଜ୍ୟର ପ୍ରାୟ ସମସ୍ତ ଜାଗାରେ ବାଲିଯାତ୍ରା ହେଉଛି। ମାତ୍ର କଟକ ବାଲିଯାତ୍ରାରେ ଥିବା ଭାଇଚାରା ଆଉ ପରମ୍ପରା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। ଏହି ଯାତ୍ରାକୁ ଯିଏ ଥରେ ଆସିଛି ସେ କଟକୀ ହୋଇଯାଇଛି। ଏବକାର ବାଲିଯାତ୍ରାରେ ପରିବର୍ତ୍ତନ ଘଟିଥିଲେ ବି ପରମ୍ପରାରେ ତିଳେମାତ୍ର ପ୍ରଭାବ ପଡିନାହିଁ ।