Categories: ଜାତୀୟ

ଯୁବକଙ୍କୁ ନିର୍ମମ ଭାବେ ମାଡ଼ମାରି ୩ ପୋଲିସ ନିଲମ୍ବିତ

ଦେବରିଆ,୧୦।୧: ଉତ୍ତରପ୍ରଦେଶର ଦେବରିଆ ଜିଲାରେ ପୋଲିସର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଚୋରି ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଥାନାରେ ନିସ୍ତୁକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସର୍ବ ସମ୍ମୁଖକୁ ଆସିବା ପରେ ପୋଲିସ କମିଶନର ଶ୍ରୀପତି ମିଶ୍ରା ୩ ଜଣ ପୋଲିସଙ୍କୁ ନିଲମ୍ବିତ କରି ତାଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ସହ ଏଭଳି ମାରପିଟ୍‌ ଘଟଣାକୁ ସେ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ମଦନପୁର ଥାନା ଅଞ୍ଚଳର ମହେନ ଗଁାରେ ବିସେଶ୍ୱର ତିଓ୍ବାରି ନାମକ ଜଣେ ବ୍ୟକ୍ତିଙ୍କର ମୋବାଇଲ ସେହି ଗଁାର ସୁମିତ ଗୋସ୍ବାମୀ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କୌଣସି ଯାଞ୍ଚ ନ କରି ସୁମିତଙ୍କୁ ଗିରଫ କରିବା ସହ ଥାନାରେ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲା। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଏହି ଘଟଣାରେ ୨ ସିପାହି ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଅଭିଯୁକ୍ତ ସୁମିତଙ୍କର ମେଡିକାଲ ଯାଞ୍ଚ ପାଇଁ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି।

Share