Categories: ରାଜ୍ୟ

ଯୁବକଙ୍କୁ କୁମ୍ଭୀର ଟାଣିନେବା ଘଟଣା: ମୃତଦେହ ଉଦ୍ଧାର, ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଦାବି

ପଟ୍ଟାମୁଣ୍ଡାଇ, ୩।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ମଣ୍ଡପଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ(୪୭) ରବିବାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ବେଳେ ସୋମବାର ତାଙ୍କ କ୍ଷତବିକ୍ଷତ ମୃତଦେହ କିଛି ଦୂରରୁ ଉଦ୍ଧାର କରାଯାଇଛି। ପଟ୍ଟାମୁଣ୍ଡାଇ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଳି ଡାକ୍ତରଖାନାକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ରବିବାର ସକାଳେ ସଞ୍ଜୟ ତାଙ୍କର ଜଣେ ସାଙ୍ଗ ସହିତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ସେ ହଠାତ୍‌ ପାଣି ଭିତରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ସଞ୍ଜୟଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳି ନ ଥିଲା। ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଏହି ନଦୀରେ ୪ଟି କୁମ୍ଭୀର ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ସଞ୍ଜୟଙ୍କୁ କୁମ୍ଭୀର ଟାଣି ନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ବାଛରା ପଞ୍ଚାୟତ ସୁରକ୍ଷା ତଥା ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ରାଜନଗର ବିଧାୟକ ଧୂର୍ବ ସାହୁ ଘଟଣାସ୍ଥଳକୁ ଯାଇ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Share