ଯୁବକଙ୍କୁ ଗଳାକାଟି ହତ୍ୟା

କାମାକ୍ଷାନଗର, ୯।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ା ଥାନା ପଥରକଟା ଗ୍ରାମର ସର୍ବେଶ୍ୱର ମହନ୍ତ (୨୯)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବାଲିକୁମା ସନ୍ଦା ଜଙ୍ଗଲରୁ ଶନିବାର ମଧ୍ୟାହ୍ନରେ ଗଳା କଟାଯାଇଥିବା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବାପା ହଗୁରୁ ମହନ୍ତଙ୍କ ଅଭିଯୋଗକ୍ରମେ ଥାନାରେ ନଂ. ୨୯/୧୯, ଦଫା ୩୦୨ରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏସ୍‌ପି ଅନୁପମା ଜେମ୍‌ସଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଛାନଭିନ୍‌ ଆରମ୍ଭ କରିଛି।
ହଗୁରୁଙ୍କ କହିବା ଅନୁଯାୟୀ, ଘରେ ଥିବା ଶୁଆ ପାଇଁ ଶୁକ୍ରବାର ସର୍ବେଶ୍ୱର ଚଣା ଆଣିବାକୁ ଘରଠାରୁ ଏକ କିମି ଦୂର ଦୋକାନକୁ ଯାଇ ଆଉ ଫେରି ନ ଥିଲେ। ଶନିବାର ସ୍ଥାନୀୟ ଲୋକ ପୁଅ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖି ସୂଚନା ଦେଇଥିଲେ। କେହି ଦୁର୍ବୃତ୍ତ ସର୍ବେଶ୍ୱରଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଶୁକ୍ରବାର ସର୍ବେଶ୍ୱର ସାଙ୍ଗରେ ଆଣିଥିବା ସାଇକେଲ ବିକିବା ପାଇଁ କେତେଜଣଙ୍କୁ ଅନୁରୋଧ କରୁଥିଲେ। ସେଠାରୁ କେଉଁଆଡ଼େ ଚାଲିଯାଇଥିଲେ। ହେଲେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ସେମାନେ ଜାଣି ନ ଥିବା କହିଛନ୍ତି।
ସୂଚନାପାଇ ଏସ୍‌ପି ଅନୁପମା ଜେମ୍ସ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, କଙ୍କଡ଼ାହାଡ଼ ଥାନାଧିକାରୀ ପ୍ରମୋଦ ଲେଙ୍କା, ଏସ୍‌ଆଇ ଶେଷପଦ୍ମା ବିଶ୍ୱାଳ ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଏ ନେଇ ଏସ୍‌ପି କୁହନ୍ତି, କଙ୍କଡ଼ାହାଡ଼ ଥାନାଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି। ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କରିଛନ୍ତି, ତାହା ତଦନ୍ତରୁ ଧରାପଡ଼ିବ। ଏ ନେଇ ତଦନ୍ତକାରୀ ଅଧିକାରୀ କୁହନ୍ତି, ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଅତି ସତର୍କତାର ସହ ହତ୍ୟାକାରୀ ହତ୍ୟାକାଣ୍ଡ ଘଟାଇଛନ୍ତି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ କୌଣସି ସାମଗ୍ରୀ ମିଳିନାହିଁ। ଛାନ୍‌ଭିନ୍‌ରୁ କିଛି ଖିଅ ମିଳିଛି। ତଦନୁଯାୟୀ ପୋଲିସ ତଦନ୍ତ ପରିସର ବଢ଼ାଇଥିବା ସେ ସୂଚନା ଦେଇଛନ୍ତି।