ଯୁବକଙ୍କୁ ଗୋଡ଼େଇ ହାଣିବା ଘଟଣାରେ ୮ ଅଟକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଶହୀଦନଗର ଥାନା ୟୁନିଟ୍‌-୯ ଗ୍ରୀଡ୍‌କୋ କଲୋନୀରେ ଯୁବକ ପି.ଆକାଶ ଦୋରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୋଷ୍ଠୀ ବିବାଦରୁ ଏହି ଘଟଣା ଘଟିଥିବାବେଳେ ଏହା ଆଗକୁ ଭୟଙ୍କର ସଂଘର୍ଷର ରୂପ ନେଇପାରେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ତେଣୁ ପୋଲିସ ଏବେଠୁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ନୟାପଲ୍ଲୀ ଅଞ୍ଚଳର ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଥିବା ଆକାଶଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି। ରବିବାର ସକାଳେ ଆକାଶଙ୍କ ବାପା ପି. ତାରକେଶୁ ଦୋରା ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୧୪୭, ୧୪୮, ୩୨୪, ୩୦୭, ୧୪୯ ଓ ୭ ଅନୁଯାୟୀ ମାମଲା ( ନଂ-୮୭/୨୦୨୦) ରୁଜୁ କରିଛି। ମାମଲାରେ ଗୁଲସନ୍‌, ଭବାନୀ, ଶୁଭମ୍‌ ଏବଂ ଅନ୍ୟ କେତେଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ ରହିଛି। ପୋଲିସ ଶନିବାର ଘଟଣାସ୍ଥଳରୁ ଜଣଙ୍କୁ କାବୁ କରିଥିଲାବେଳେ ବିଳମ୍ବିତ ରାତିରେ ୮ ଜଣଙ୍କୁ ଉଠାଇ ନେଇଥିଲା। ମାମଲାରେ ସମ୍ପୃକ୍ତ ଅନ୍ୟ ୨୬ ଜଣଙ୍କୁ ପୋଲିସ ଖୋଜୁଛି। ସେମାନେ ରାଜଧାନୀ ପାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଏକ ଟିମ୍‌ ରାଜଧାନୀ ବାହାରେ ଚଢାଉ ଜାରି ରଖିଛି। ଏହି ଆକ୍ରମଣ ପଛରେ ବାଣୀବିହାର କ୍ୟାମ୍ପସରେ ରହୁଥିବା କେତେଜଣ ଛାତ୍ର ଏବଂ ଭିଏସ୍‌ଏସ୍‌ ନଗରର କେତେଜଣ ଯୁବକ ସାମିଲ ଅଛନ୍ତି।

ଏଥିରେ ବି ନାବାଳକଙ୍କ ସମ୍ପୃକ୍ତି
ନାବାଳକଙ୍କ ପାଇଁ ଦଣ୍ଡ କଠୋର ନ ଥିବାରୁ ଅପରାଧୀମାନେ ଏକାଧିକ ମାମଲାରେ ନାବାଳକଙ୍କୁ ସାମିଲ କରୁଛନ୍ତି। ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଆତଙ୍କ ମାମଲାରେ ୧୬ ଜଣ ନାବାଳକ ସମ୍ପୃକ୍ତ ଥିଲେ। ସେମାନେ ଦେଖୁ ଦେଖୁ ମାରପିଟ୍‌ ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଶନିବାର ରାତିରେ ୟୁନିଟ-୯ ଗ୍ରୀଡ୍‌କୋ କଲୋନୀରେ ହୋଇଥିବା ଆକ୍ରମଣରେ ମଧ୍ୟ ଏକାଧିକ ନାବାଳକଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ନାବାଳକମାନଙ୍କୁ ବ୍ୟବହାର କରି ନିଜର ଫାଇଦା ହାସଲ କରିଥିବା ପୋଲିସ ଜାଣିବାକୁ ପାଇଛି।
ବାଇକ୍‌ ଏକ୍ସିଲେଟର ମୋଡ଼ିବାରୁ ହୋଇଥିଲା ବିବାଦ
ଶନିବାର ଆକାଶଙ୍କ ଉପରେ ହୋଇଥିବା ଆକ୍ରମଣର ମୂଳ କାରଣ ହେଲା ବାଇକର ଏକ୍ସିଲିଟର ମୋଡ଼ିବା। ଦୁଇ ସପ୍ତାହ ତଳେ ଶହୀଦନଗର ଦୁର୍ଗାମଣ୍ଡପ ପଛପଟରେ ୟୁନିଟ-୯ର କେତେଜଣ ପିଲା ବସିଥିଲେ। ଏହି ସମୟରେ ବାଣୀବିହାର କ୍ୟାମ୍ପସର ଦୁଇଜଣ ପିଲା ବାଇକରେ ଆସି ତାଙ୍କ ଆଗରେ ଏକ୍ସିଲିଟର ମୋଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ବିକଟାଳ ଶବ୍ଦ କରିଥିଲେ। ଏହାକୁ ଆକାଶ ଏବଂ ତାଙ୍କ ସାଙ୍ଗମାନେ ବିରୋଧ କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଥାନାରେ ଆପୋସ ସମାଧାନ ହୋଇଥିଲା। କିନ୍ତୁ ବାଣୀବିହାର ପିଲା ରାଗ ରଖିଥିଲେ। ତଦନୁଯାୟୀ ଶନିବାର ଆକାଶଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଆକାଶ ଗ୍ରୀଡ୍‌କୋ କଲୋନୀରେ ୩ଜଣ ସାଙ୍ଗମାନଙ୍କ ସହ ବସିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଯୁବକ ମୁହଁରେ କପଡ଼ା ବାନ୍ଧି ଖଣ୍ଡା, ଭୁଜାଲି ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

Share