ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା: ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ

ଧରାକୋଟ,୨୫।୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଅଲେଖ ନାହାକ (୨୦)। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଲେଖଙ୍କ ବାପା ଧରାକୋଟ ଥାନାରେ ଏତଲା ଦେଇଛନ୍ତି। ପୋଲିସ ନଂ. ୭୨/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଅଲେଖ ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭଲ ପାଉଥିଲେ। ଝିଅଘର ଲୋକେ ଏହାକୁ ବାରଣ କରିବା ସହ ଅଲେଖଙ୍କୁ ଏଥିରୁ ଦୂରେଇ ରହିବାକୁ ତାଗିଦ୍‌ କରୁଥିଲେ। ଅଲେଖ ଏହାକୁ ନ ମାନି ସମ୍ପୃକ୍ତ ଛାତ୍ରୀଙ୍କ ସହ ମିଳାମିଶା କରୁଥିଲେ। ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଅଲେଖ ଜେଜେବାପାଙ୍କ ସହ ଘରେ ଶୋଇଥିବାବେଳେ ଗ୍ରାମର ୮ରୁ ୧୦ଜଣ ଲୋକ ଆସି ତାଙ୍କୁ ଘରୁ ଡାକି ନେଇଥିଲେ। ଏଥିରେ ଝିଅଘର ପରିବାର ଲୋକେ ମଧ୍ୟ ଥିଲେ। ଅଲେଖଙ୍କୁ ଝିଅ ଘରକୁ ନେଇ ନିସ୍ତୁକ ମାଡ ମରାଯାଇଥିଲା। ଖବର ପାଇ ତାଙ୍କ ବାପା ସେଠାରେ ପହଞ୍ଚତ୍ ପୁଅକୁ ମାଡ ମରାଯାଉଥିବା ଦେଖି ଧରାକୋଟ ଥାନାକୁ ଖବର ଦେଇଥିଲେ। ଧରାକୋଟ ଥାନା ଅଧିକାରୀ ଶେଷଦେବ କହଁର ସଦଳବଳ ପହଞ୍ଚତ୍ ଅଲେଖଙ୍କୁ ଝିଅଘରୁ ଉଦ୍ଧାର କରିଥିଲେ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲା। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ଧରାକୋଟ ପୋଲିସ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଝିଅଙ୍କ ପରିବାରର ୪ ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା ଚଳାଇଛି। ଝିଅଙ୍କ ବାପା, ମା’ଙ୍କ ସମେତ ଅନ୍ୟ ସଦସ୍ୟ ଫେରାର ହୋଇଯାଇଛନ୍ତି।

Share