ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଚନ୍ଦନପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍କୁ ଯାଉଥିବା ମାଲ୍ବାହୀ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି।
ସୂଚନାନୁସାରେ, ଗୁରୁବାର ଭୋର୍ରୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିକଟସ୍ଥ ଚନ୍ଦନପୁରସ୍ଥିତ ବେଦାନ୍ତ ରେଳ ଧାରଣାରେ ଘଟିଛି ଏକ ଅଘଟଣ। ଶୌଚ ପାଇଁ ରେଳ ଧାରଣା ପାଖକୁ ଯାଇଥିବା ବଡ଼ ଜାମକିହେଜୁ ଗାଁର ଚନ୍ଦ୍ର ମାଝୀ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟିଯାଇଛି। ବଡ଼ ଜାମକିହେଜୁ ଗାଁର ଚନ୍ଦ୍ର ନିଜ ବଡ଼ମା ଘର ଚନ୍ଦନପୁର ଗାଁରେ ରହି କୁଲି ମଜୁରୀ କରି ଚଳୁଥିଲେ। ଆଜି ସକାଳୁ ସେ ଟ୍ରେନ୍ ଧାରଣା ପାର୍ ହେଉଥିବାବେଳେ ବେଦାନ୍ତ ପ୍ରକଳ୍ପକୁ ଯାଉଥିବା ଏକ ତାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେବାରୁ ତାଙ୍କ ବାମଗୋଡ଼ ଆଣ୍ଠୁ ତଳୁ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ପ୍ରଚୁର ରକ୍ତସ୍ରାବ ଯୋଗୁ ସେ ଗୁରୁତର ହୋଇପଡ଼ିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ବିଶ୍ୱନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କଲା ପରେ ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିବା ଲାଞ୍ଜିଗଡ଼ ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି।