ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତ ବାପ ପୁଅ ଗିରଫ

ଭଦ୍ରକ ଅଫିସ, ୨୬।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଉତରାଗଡିଆ ପାଟଣାରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ସପ୍ତାହକ ପରେ ଅଭିଯୁକ୍ତ ନୀଳମଣି ମହାରଣା(୬୬)ଙ୍କୁ ଭଦ୍ରକ ଷ୍ଟେଶନ ଓ ତାଙ୍କ ପୁଅ ଗୁରୁଙ୍କୁ ଭୁବନେଶ୍ୱର କଳ୍ପନା ଛକରୁ ଗିରଫ କରାଯାଇଥିବା ନେଇ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ା ସୂଚନା ଦେଇଛନ୍ତି। ସମ୍ପୃକ୍ତ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟ ୩ ଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ, ମୃତ ବିଜୟ ନିଜ ଗୃହ ନିର୍ମାଣ ପାଇଁ କିଛିଦିନ ପୂର୍ବେ ବାଲି ଆଣି ରାସ୍ତା ଉପରେ ରଖିଥିଲେ। ଗ୍ରାମର ନୀଳମଣି, ଗୁରୁ, ମନୋଜ ମହାରଣା, ପ୍ରଭାତ ମହାରଣା ଓ ସିଦ୍ଧେଶ୍ୱର ବେହେରା ଏହାକୁ ବିରୋଧ କରୁଥିଲେ। ଏହାକୁ କେନ୍ଦ୍ରକରି ଗତ ୧୯ ତାରିଖ ସନ୍ଧ୍ୟାରେ ବିଜୟଙ୍କ ସହ ଗୁରୁ ଓ ତାଙ୍କ ସହଯୋଗୀମାନଙ୍କର ହାତାହାତି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଗୁରୁଙ୍କ ସହଯୋଗୀମାନେ ଲୁହାରଡ୍‌ରେ ବିଜୟଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବିଜୟ ଟଳି ପଡ଼ିଥିଲେ। ତାଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିଜୟଙ୍କ ସାନଭାଇ ଯୁଧିଷ୍ଠିରଙ୍କ ଏତଲା କ୍ରମେ ପୋଲିସ ମାମଲା(ନଂ.୫୧୪/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସ୍‌ଡିପିଓ ଜଳନ୍ଧର ଜାଲିଙ୍କ ନେତୃତ୍ୱରେ ଥାନାଧିକାରୀ ପ୍ରଭାଂସୁ ମିଶ୍ର, ପ୍ରଜ୍ଞା ମହାନ୍ତିଙ୍କୁ ନେଇ ଏକ ଟିମ୍‌ କରାଯାଇ ତଦନ୍ତ ଜାରି ରହିଥିଲା।