Categories: ଭଦ୍ରକ

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୫ ଜଣଙ୍କ ନଁ। ରେ ମାମଲା, ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଗୁରୁବାର ରାତିରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ଲୁହାରଡ୍‌ରେ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୃତ ବିଜୟଙ୍କ ସାନଭାଇ ଯୁଧିଷ୍ଠିରଙ୍କ ଏତଲା କ୍ରମେ ପୋଲିସ ମାମଲା(ନଂ. ୫୧୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗଁ।ରେ ଶୋକାକୁଳ ପରିବେଶ ମଧ୍ୟରେ ବିଜୟଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା।
ବିଜୟ ନିଜ ଗୃହ ନିର୍ମାଣ ପାଇଁ ଦୁଇଦିନ ପୂର୍ବେ ବାଲି ଆଣି ରାସ୍ତା ଉପରେ ରଖିଥିଲେ। ଗ୍ରାମର ଗୁରୁ ମହାରଣା ଓ ତାଙ୍କ ସହଯୋଗୀ ଏହାକୁ ବିରୋଧ କରୁଥିଲେ। ଗୁରୁବାର ରାତିରେ ବିଜୟଙ୍କ ସହ ଗୁରୁ ଓ ତାଙ୍କ ପରିବାର ଲୋକଙ୍କର ହାତାହାତି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଗୁରୁଙ୍କ ସହଯୋଗୀମାନେ ଲୁହାରଡ୍‌ରେ ବିଜୟଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବିଜୟଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀ ଗୁରୁ ଓ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଗଁା ଏବେ ପୁରୁଷଶୂନ୍ୟ ହୋଇପଡ଼ିଛି। ଅଭିଯୁକ୍ତମାନେ ଫେରାର ଥିବା ଥାନାଧିକାରୀ ପ୍ରଭାଂସୁ ମିଶ୍ର ସୂଚନା ଦେଇଛନ୍ତି।