ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ, ଖଣ୍ଡା ଜବତ

ବଡ଼ବିଲ, ୯।୬ (ସ୍ବ.ପ୍ର.) – କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଗ୍ରାମର ରୋହିତ ଶାସ୍ତ୍ରୀ ନାମକ ଜଣେ ଯୁବକଙ୍କୁ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ଗୁରୁତର ରୋହିତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ଅଭିଯୋଗ କ୍ରମେ ବଡ଼ବିଲ ଥାନାରେ ଏକ ମାମଲା(ନଂ. ୧୨୭/୨୦୧୯) ରୁଜୁ କରାଯାଇଛି। ଆକ୍ରମଣକାରୀ ଠାକୁରାଣୀ ଗ୍ରାମର ଭଗବାନ ଦାଶଙ୍କୁ ପୋଲିସ ଗିରଫ କରିବା ସହ ବ୍ୟବହୃତ ଖଣ୍ଡାକୁ ଶନିବାର ଜବତ କରିଛି।
ସୂଚନା ଅନୁଯାୟୀ, ଭଗବାନ ଶୁକ୍ରବାର ରୋହିତଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ରୋହିତଙ୍କୁ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶନିବାର ଅଭିଯୁକ୍ତ ଭଗବାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।