ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବୋଲେରୋ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ସଜନାଗଡ, ୧୨ା୧(ଡି.ଏନ.ଏ.)-ନୀଳଗିରି ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ହାଇସ୍କୁଲ୍‌ ପଡ଼ିଆ ସମ୍ମୁଖରେ ଯୋଜନାବଦ୍ଧ ଭାବେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଈଶ୍ୱରପୁର ମେଡ଼ିକାଲ ପରେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲକୁ ପଠାଯାଇଛି।
ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ପଡିଆ ସମ୍ମୁଖରେ ଈଶ୍ୱରପୁର ଗ୍ରାମର ସୁଦର୍ଶନ ମହାନ୍ତି (୪୨) ଏକୁଟିଆ ଥିବା ବେଳେ ହଠାତ୍‌ ଏକ ବୋଲେରୋ (ନଂ.ଓଡ଼ି-୦୧-ଟି- ୮୯୭୭)ରେ ୪/୫ଜଣ ଯୁବକ ଆସି ତାଙ୍କୁ ଧକ୍କା ଦେଇଥିଲେ। ସୁଦର୍ଶନ ଏହାର ପ୍ରତିବାଦ କରିବାରୁ ବୋଲେରୋରେ ଥିବା ଅଜଣା ଯୁବକମାନେ ଠେଙ୍ଗା ଓ ଭୁଜାଲି ସହିତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁଦର୍ଶନ ଚିତ୍କାର କରୁଥିଲା ବେଳେ ସ୍ଥାନୀୟ ଲୋକେ ପହଞ୍ଚତ୍ଥିଲେ। ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଘଟଣାସ୍ଥଳରୁ ଜଣେ ଧରାପଡ଼ିଥିଲା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ନୀଳଗିରି ଆଇଆଇସି ମିନତୀ ବିଶ୍ୱାଳ ଗ୍ରାମବାସୀ ଅଟକ ରଖିଥିବା ଯୁବକଙ୍କୁ ଗିରଫ କରିବା ସହ ବ୍ୟବହୃତ ବୋଲେରୋ ଓ ମାରଣାସ୍ତ୍ରକୁ ଜବତ କରିଛନ୍ତି।

Share