ଯୁବକଙ୍କୁ ମାଡ଼ ପ୍ରତିବାଦରେ ରାସ୍ତାରୋକୋ

ବ୍ରହ୍ମଗିରି,୨ା୧(ଡି.ଏନ୍‌.ଏ.): ପୋଲିସ ଜଣେ ଯୁବକଙ୍କୁ ମାଡ଼ ମାରିବା ପ୍ରତିବାଦରେ ବୁଧବାର ରାତିରେ ସ୍ଥାନୀୟ ଯୁବକମାନେ ବେଣ୍ଟପୁର ଛକଠାରେ ରାସ୍ତାରୋକୋ କରିଥିଲେ। ସୂଚନା ଅନୁଯାୟୀ, ନୂଆବର୍ଷ ଉପଲକ୍ଷେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ରହ୍ମଗିରି ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି। ବ୍ରହ୍ମଗିରି ବେଣ୍ଟପୁର ଛକ ନିକଟରେ କେତେଜଣ ଯୁବକ ମଦ୍ୟପାନ କରୁଥିବା ଖବରପାଇ ପୋଲିସ ସେଠାରେ ପହଞ୍ଚିଥିଲା। କିନ୍ତୁ ପୋଲିସ ଉକ୍ତ ଛକ ନିକଟରେ ପହଞ୍ଚିବା ବେଳକୁ କେତେଜଣ ଯୁବକ ଭୋଜି କରୁଥିବା ଦେଖିବାକୁ ପାଇଥିଲେ। ଉକ୍ତ ଯୁବକମାନେ ବିଶୃଙ୍ଖଳା କରୁଥିବା ସନ୍ଦେହରେ ପୋଲିସ ସେମାନଙ୍କୁ ଗାଳିଗୁଲଜ କରିବା ସହ ଜଣେ ମହିଳା ସବଇନିସ୍‌ପେକ୍ଟର ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ। ପୋଲିସ ବିନା କାରଣରେ ମାଡ଼ ମାରିବା ପ୍ରତିବାଦରେ ଏହି ଯୁବକମାନେ ବେଣ୍ଟପୁର ଛକ ନିକଟରେ ପୁରୀ-ସାତପଡ଼ା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ରାସ୍ତାରୋକୋ ଜାରି ରହିଥିବା ଜଣାପଡିଛି।

Share