ଯୁବକଙ୍କ ଉନ୍ମତ୍ତକାଣ୍ଡ: ଗାଡ଼ି ଧକ୍କାରେ ୬ଜଣଙ୍କୁ କଲେ ଆହତ

ବାଲିକୁଦା,୨୨ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ବୋରିକିନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଉକ୍ତ ଯୁବକ କାହାକୁ ଟଙ୍କା ମାଗି ଧମକ ଦେଇଛନ୍ତି ତ ଆଉ କାହାକୁ ବନ୍ଧୁକ ମୁନରେ ଉଡାଇ ଦେବାକୁ କହିଛନ୍ତି। ପୁଣି କାହାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏପରି କି ସିରିଏଲ ଭାବେ ଦୁର୍ଘଟଣା ଘଟାଇ ୬ ଜଣଙ୍କୁ ଆହତ କରି ଫେରାର ହୋଇ ଯାଉଥିବା ବେଳେ ବୋରିକିନା ବଜାରଠାରେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡି ଛେଚା ଖାଇଛନ୍ତି। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ସେ ହେଲେ ଥାନା ଅଧୀନ ବୋରିକିନା ପଞ୍ଚାୟତ ରାମତୋଳ ଗଁାର ମଙ୍ଗୁଳି ମଲ୍ଲିକଙ୍କ ପୁଅ ଉପେନ୍ଦ୍ର(୨୪)।

କଟକର କୌଣସି ବ୍ୟକ୍ତିଙ୍କ ଗାଡି ଚଳାନ୍ତି। ଘର ରାମତୋଳ ହୋଇଥିଲେ ମଧ୍ୟ ଡୋଭାଳ ଗଁାରେ ଘର ଭଡା ନେଇ ରହୁଥିଲେ। ସେ ଚଳାଉଥିବା ଏକ କାର ଆଣି ବଡ଼କୁଳ ଗଁାରେ ପଶି ତ୍ରିଲୋଚନ ପରିଡ଼ା ଓ ସଂଗ୍ରାମ ଦାସଙ୍କୁ ଫାଇରିଂ କରି ଉଡ଼ାଇ ଦେବାକୁ କହିଥିଲେ। ତେବେ ସେମାନେ ପ୍ରତିବାଦ କରିବାରୁ ଗାଡ଼ି ଧକ୍କା କରି ପଳାଇଥିଲେ। ଫଳରେ ଉଭୟ ଅହତ ହୋଇଥିଲେ। ସେଠାରୁ ବାରିଲୋ ଗଁାଦେଇ ବୋରିକିନା ବଜାରକୁ ଆସିବା ସମୟରେ ସର୍ବେଶ୍ୱର ଦାସ ନାମକ ଜଣେ ସରକାରୀ କର୍ମଚାରୀ ବାଇକ ଯୋଗେ ଆସୁଥିବା ସମୟରେ ଉପେନ୍ଦ୍ର ଗାଡି ମଡ଼ାଇ ତାଙ୍କୁ ମାରି ଦେବା ପାଇଁ ଯୋଜନା କରିଥିଲେ। ମାତ୍ର ଏଥିରୁ ବର୍ତ୍ତି ସର୍ବେଶ୍ୱର ଯାଇଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏହାପରେ ରାମତୋଳ ଗଁାର ପରିକ୍ଷିତ ମଳିକଙ୍କୁ ରାସ୍ତା ମଝିରେ ଅଟକାଇ ୫ ହଜାର ଟଙ୍କା ମାଗିବା ସହିତ ଅଶାଳୀନ ବ୍ୟବହାର କରିଥିଲେ। ରାସ୍ତା ମଝିରେ ପାଟି ଶୁଣି ପୁନ ମଳିକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାରି ଦେବାକୁ ଧମକ ଦେଇଥିଲେ। ମଝିକୁରା ଗଁାର ଜିତେନ୍ଦ୍ର ବରାଳ(୫୨)ବୋରିକିନା ବଜାରକୁ ଆସିଥିବା ବେଳେ ଉପେନ୍ଦ୍ର ତାଙ୍କୁ କାର ଧକ୍କା କରିଥିଲେ। ଏହା ପରେ ଏରସମା ଥାନା ଗୋଡା ପଞ୍ଚାୟତ ବ୍ରହ୍ମଚାରୀ ଗଁାର ସୁଶାନ୍ତ ସ୍ବାଇଁ ଗୋଡାରୁ ବୋରିକିନା ଆସି ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ଦୁର୍ଘଟଣା ଘଟାଇ ଆହତ କରିଥିଲେ। ବାରିଲୋ ଗଁାର ଚିତ୍ତରଞ୍ଜନ ମହାନ୍ତି(୪୦)ଙ୍କୁ ମଧ୍ୟ କାର୍‌ ଧକ୍କା କରି ଗୁରୁତର କରିଥିଲେ। ଏଭଳି ଘଟଣା ଘଟାଇ କଟକ ଆଡ଼େ ୫୫ ନମ୍ବର ଜାତୀୟ ରାଜପଥ ଦେଇ ଫେରାର ହୋଇ ଯାଉଥିବା ବେଳେ ଲୋକଙ୍କ ହାବୁଡରେ ପଡ଼ିଥିଲେ।

Share