ଯୁବକଙ୍କ କାନରୁ ବାହାରିଲେ ୧୦ ଅସରପା

ନୂଆଦିଲ୍ଲୀ: ଚାଇନାରେ ଜଣେ ଲୋକଙ୍କ କାନରୁ ବାହାରିଛି ୧୦ ଅସରପା। ଯୁବକଙ୍କ କାନରେ ପ୍ରବଳ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ। ସେ ଭୟଭୀତ ହୋଇପଡ଼ିଥିବାବେଳେ ଡାକ୍ତର ମଧ୍ୟ ଦେଖିବା ପରେ ଚକିତ ହୋଇଯାଇଥିଲେ। ଯୁବକଙ୍କ କାନରେ ଅସରପା ଥିବା ଜଣାପଡ଼ିଥିଲା। ତାହା ପୁଣି ଗୋଟିଏ କି ଦୁଇଟି ନୁହଁ ୧୦ଟି ଅସରପା (ମା’ ଓ ଛୁଆ) ଡାକ୍ତର କାନରୁ ବାହାର କରିଥିଲେ। ଚାଇନାର ଲଭ୍‌ ନାମକ ଜଣେ ଯୁବକଙ୍କ ସହ ଏହି ଘଟଣା ଘଟିଛି। ଏଥିପୂର୍ବରୁ ମଧ୍ୟ ତାଙ୍କ କାନରେ କଷ୍ଟ ହେବା ସହ କିଛି ଚାଲିଲା ଭଳି ଅନୁଭବ ହେଉଥିଲା। ହେଲେ ସେ ତାହାର କାରଣ ଜାଣିପାରୁ ନ ଥିଲେ। ଅସରପା ପରିବାର ଯୁବକଙ୍କ କାନ ମଧ୍ୟରେ ଘର କରି ରହିବା ସହ କ୍ଷତ ସୃଷ୍ଟି କରିଥିଲେ। ମାତ୍ର କାନଭିତରେ ସେଗୁଡ଼ିକ କେମିତି ରହିଲେ, ତାହା ଡାକ୍ତର ମଧ୍ୟ ବୁଝିପାରି ନ ଥଲେ। ତେବେ ନିଜ ବେଡ୍‌ରେ ଖାଇବା ଜିନିଷ ପକାଇବା ଏବଂ ସେଗୁଡ଼ିକୁ ସଫା ନ କରି ଶୋଇପଡ଼ିବା ଅଭ୍ୟାସ ଯୋଗୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଚାଇନାର ଏକ ହସ୍ପିଟାଲ୍‌ର ବିଶେଷଜ୍ଞ ଡାକ୍ତର ପ୍ରକାଶ କରିଛନ୍ତି।

Share