ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟର ନେହେଲା ଗ୍ରାମରେ ଭବାନୀପାଟଣା ସହର ପୁରୁଣାପଡ଼ାର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନି ଦିନ ପରେ ଠାବ କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହର ପୁରୁଣାପଡ଼ାର ଦେବେନ୍ଦ୍ର ବେହେରା (୩୦) ତାଙ୍କ ସାଥୀମାନଙ୍କ ସହିତ କର୍ଲାପାଟ ଅଭୟାରାଣ୍ୟର ନେହେଲା ଗ୍ରାମକୁ ଗତ ୨୪ ତାରିଖରେ କାଠ କାଟିବା ନିମନ୍ତେ ଯାଇଥିଲେ। ରାତିରେ ଖାଇବା ବେଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଭରତ ବିଶ୍ୱାଳ ଓ ତାଙ୍କ ସାଥୀ କାଠ ଫାଳିଆରେ ଦେବେନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ସୋମବାର ଏ ନେଇ ଭବାନୀପାଟଣା ସଦର ଥାନା ପୋଲିସ ଏସ୍‌ଆଇ ସଚିନ୍ଦ୍ର ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଭବାନୀପାଟଣା ପୁରୁଣାପଡ଼ାର ବିଶ୍ୱାଳ ଓ ଅନ୍ୟ ୬ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଛି।

Share