ରାଇରଙ୍ଗପୁର,୧୨।୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମର ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଘରୁ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ହେଲେ ଟିକାଚରଣ ନାୟକ। ସେ ଘରେ ଏକା ରହୁଥିବା ବେଳେ ସ୍ଥାନୀୟ ଲୋକେ ସକାଳେ ତାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଥାନା ଅଧିକାରୀଙ୍କ ସହ ରାଇରଙ୍ଗପୁର ସର୍କଲ ଏସ୍ଡିପିଓ ସ୍ନେହାଶିଷ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଟିକାଚରଙ୍କ ବେକରେ ଲାଗିଥିବା କ୍ଷତ ଚିହ୍ନକୁ ଦେଖି କେହି ଦୁର୍ବୃତ୍ତ ମାରଣାସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଥିବା ସନ୍ଦେହ କରୁଛି। ବାରିପଦାରୁ ଏକ ସାଇଣ୍ଟଫିକ୍ ଟିମ୍ ସନ୍ଧାନୀକୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଛନ୍ତି।