ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ

ଅତାବିରା,୧୪ା୬(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ତଲିଟାମ୍ପରସରା ଗ୍ରାମର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ବଳରାମ ସେଟ୍‌(୧୮)। ସେ ଗୁରୁବାର ସନ୍ଧ୍ୟାରେ ତଲିଟାମ୍ପରସରା ଗ୍ରାମର ରାଜୀବ ବିଶ୍ୱାଳଙ୍କ ଦୁଗ୍ଧ ନେଇ ଲରମ୍ଭା ଦୁଗ୍ଧ ଉତ୍ପାଦନ କେନ୍ଦ୍ରକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ବଡ଼ବନ୍ଧ ନିକଟରେ ସେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବ୍ରଜପାତରେ ବଳରାମଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ ପଡ଼ିଥିବା ସ୍ଥାନରେ ରକ୍ତ, ବାଇକର ମିରର୍‌ କାଚ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ବଳରାମଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି ନା ବଜ୍ରପାତ ନା ଆଉ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କୁ ପଚରାଯିବାରୁ ବଳରାମ ଗୁରୁବାର ରାତି ପ୍ରାୟ ୮ଟାରେ ସମିତିକୁ ଦୁଗ୍ଧ ଆଣିଥିବା କହିଛନ୍ତି। ଏନେଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share